କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଆଶ୍ୱସ୍ତିକର କଥା ହେଉଛି ଓଡିଶାରେ ସଂକ୍ରମଣ ଉଦବେଗଜନକ ସ୍ଥିତିରେ ନାହିଁ । କିନ୍ତୁ ପାଖ ପଡୋଶୀ ରାଜ୍ୟରେ ସଂକ୍ରମଣ ବଢିଲେ ଓଡିଶା ପ୍ରତି ବିପଦ ରହିଛି । ସେପଟେ ରାଜ୍ୟରେ ଗତ ୨୪ ଘଂଟାରେ ଆଉ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି ହୋଇଛି । କରୋନା ଆକ୍ରାନ୍ତଙ୍କ ନମୂନାକୁ ଜିନୋମ ସ୍ୱକେନ୍ସିଂ ପାଇଁ ପଠାଯାଇଛି । ରାଜ୍ୟରେ କୋଭିଡ ସଂକ୍ରମଣର ସ୍ଥିତି ଆଦୌ ଉଦବେଗଜନକ ନୁହେଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଏବେ କୋଭିଡ କଟକଣା ନେଇ ସାରା ରାଜ୍ୟ ପାଇଁ କୌଣସି ଗାଇଡ ଲାଇନ ହୋଇ ନାହିଁ । ସତର୍କ ଓ ସଚେତନ ରହିଲେ କରୋନାକୁ ଦୁରେଇ ଦେଇହେବ ବୋଲି ବରିଷ୍ଠ ଚିକିତ୍ସକ ନିରଞ୍ଜନ ମିଶ୍ର କହିଛନ୍ତି । ସତର୍କ ରହିବା ସହ କରୋନାର ଲକ୍ଷଣ ଦେଖାଦେଲେ ତୁରନ୍ତ ଟେଷ୍ଟ କରି ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି ।

Advertisment

କୋଭିଡ ପିକ ଆୱାରରେ ଓଡିଶାର ହଟସ୍ପଟ ପାଲଟିଥିଲା ଗଂଜାମ ଜିଲ୍ଲା । ଗଂଜାମକୁ ବାହାରୁ ବହୁ ଲୋକ ଆସିବାରୁ ସଂକ୍ରମଣ ସ୍ଥିତି ଅଣାୟତ ହୋଇଥିଲେ । ଏବେ ପୁଣି ଦେଶରେ ସଂକ୍ରମଣ ବଢୁଥିବାରୁ ସେଭଳି ସ୍ଥିତିର ଆଶଙ୍କା କରି ଗଂଜାମ ଜିଲ୍ଲା ପ୍ରଶାସନ ସତର୍କ ହୋଇଛନ୍ତି । ଗଂଜାମରେ ପୁଣି କୋଭିଡ ନିୟମ ଫେରିଛି । ଥଣ୍ଡା, କାଶ, ଜ୍ୱର ହେଲେ ମାସ୍କ ପିନ୍ଧିବା, ସମାଜିକ ଦୂରତା ବଜାୟ ରଖିବା । ନିୟମିତ ହାତ ଧୋଇବା ଭଳି କୋଭିଡ ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।

ଦେଶରେ ଗତ ୨୪ ଘଂଟାରେ ୫୨୯ ନୂଆ ମାମଲା ଚିହ୍ନଟ ହୋଇଛି । ସେହିପରି ଦିନକରେ କରୋନା ୩ ଜଣ ସଂକ୍ରମିତଙ୍କ ଜୀବନ ନେଇଛି । ଏବେ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪,୦୯୩ ରହିଛି । ସେହିପରି ଜେଏନ ଡଟ ୱାନ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧୦୯କୁ ବୃଦ୍ଧି ହୋଇଛି ।