ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ମୁହାଁ । ୨୪ ଘଂଟାରେ ୨ହଜାରରୁ ଅଧିକ ମୃତ । ସେପେଟ ତିନି ରାଜ୍ୟରେ ଚିହ୍ନଟ ହେଲାଣି ଟ୍ରିପଲ ମ୍ୟୁଟାଂଟ ଭୁତାଣୁ ।

167

କନକ ବ୍ୟୁରୋ: ଦେଶର ଦ୍ରୁତ ସଂକ୍ରମଣ ଦିନକୁ ଦିନ ନୂଆ ରେକର୍ଡ କରୁଛି । ଗତ ୨୪ ଘଂଟାରେ ସଂକ୍ରମଣ ଓ ମୃତ୍ୟୁ ମାମଲାରେ ନୂଆ ରେକର୍ଡ କରିଛି କରୋନା । ୨୪ ଘଂଟାରେ ୨ ଲକ୍ଷ ୯୫ ହଜାର ୪୧ ନୂଆ ମାମଲା ଚିହ୍ନଟ ହୋଇଛି । ସେହିପରି ଗୋଟିଏ ଦିନରେ ୨ ହଜାର ୨୩ ଜଣଙ୍କ କରୋନାରେ ଜୀବନ ଯାଇଛି । ଆଉ ଏକ ଚିନ୍ତାର ବିଷୟ ହେଉଛି ଭାରତର କିଛି ରାଜ୍ୟରେ ଟ୍ରିପଲ ମ୍ୟୁଟାଂଟ ଚିହ୍ନଟ ହୋଇଛି । ଯାହା ଦ୍ରୁତ ସଂକ୍ରମଣ ସହ ଅଧିକ ଲୋକଙ୍କ ଜୀବନ ନେବାକୁ ସକ୍ଷମ ବୋଲି ବିଶେଷଜ୍ଞ କହିଛନ୍ତି ।

ଭାରତର ଡବଲ ମ୍ୟୁଟାଂଟ ପରେ ଏବେ ଟ୍ରିପଲ ମ୍ୟୁଟାଂଟ ଦେଖା ଦେଇଛି । ପଶ୍ଚିମବଙ୍ଗ, ଦିଲ୍ଲୀ ଓ ମହାରାଷ୍ଟ୍ରରେ ଏହି ଭୂତାଣୁର ପରିବର୍ତ୍ତିତ ରୂପ ଠାବ କରାଯାଇଛି । ତିନୋଟି ଭିନ୍ନ ଭିନ୍ନ ରୁପର ଭୁତାଣୁର ମିଶ୍ରଣକୁ ଟ୍ରିପଲ ମ୍ୟୁଟାଂଟ ବୋଲି କୁହାଯାଉଛି । ଆଉ ବିଶ୍ୱରେ ଏହି ଟ୍ରିପଲ ମ୍ୟୁଟାଂଟ ଯୋଗୁଁ ଦ୍ରୁତ ସଂକ୍ରମଣ ହେଉଥିବା ବିଶ୍ୱାସ କରୁଛନ୍ତି ବୈଜ୍ଞାନିକ । ମ୍ୟାକ ଗିଲ ବିଶ୍ୱବିଦ୍ୟାଳୟର ଏପିଡୋମୋଲୋଜି ଅଧ୍ୟାପକ ମଧୁକର ପାଇ କହିଛନ୍ତି, ‘ଏହା ଅଧିକ ସଂକ୍ରାମକ ଓ ମଣିଷକୁ ଶୀଘ୍ର ଅସୁସ୍ଥ କରିବାରେ ସକ୍ଷମ’ ।

କରୋନା ଟିକାର ପ୍ରଭାବ ଏହି ଟ୍ରିପଲ ମ୍ୟୁଟାଂଟ ଉପରେ କେତେ ଫଳପ୍ରଦ ତାହା ଜଣାପଡି ନାହିଁ । ଟ୍ରିପଲ ମ୍ୟୁଟାଂଟ ଉପରେ ଅଧିକ ଗବେଷଣା ଆବଶ୍ୟକ ବୋଲି କହିଛନ୍ତି ମଧୁକର ପାଇ । ଡବଲ ମ୍ୟୁଟାଂଟରେ ଦେଶର ଶିଶୁ ସଂକ୍ରମିତ ହୋଇଥିବାରୁ ବିଶେଷଜ୍ଞଙ୍କ ଚିନ୍ତା ବଢିଯାଇଛି । ଏପଟେ ଦେଶରେ ଦୈନିକ ସଂକ୍ରମଣ ତିନି ଲକ୍ଷ ମୁହାଁ ହେଉଥିବା ବେଳେ ଟ୍ରିପଲ ମ୍ୟୁଟାଂଟ ଭୁତାଣୁ ଚିହ୍ନଟ ହେବା ଚିକିତ୍ସା ବ୍ୟବସ୍ଥା ପାଇଁ ଏକ ବଡ ଆହ୍ୱାନ ।