କନକ ବ୍ୟୁରୋ : ଆସନ୍ତା ମାର୍ଚ୍ଚରେ ରାଜ୍ୟରେ କରୋନାର ଚତୁର୍ଥ ଲହର ଆସିବ ବୋଲି ଆକଳନ କରାଯାଉଛି । ସମ୍ଭାବ୍ୟ ଲହରକୁ ଦେଖି ଏବେ ବୁଷ୍ଟର ଡୋଜ୍ ନେବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖାଦେଇଛି । ଲୋକଙ୍କ ଆଗ୍ରହକୁ ଦେଖି ରାଜ୍ୟ ସରକାର ମଧ୍ୟ କେନ୍ଦ୍ରକୁ ଟିକା ଯୋଗାଇଦେବାକୁ ଚିଠି ଲେଖିଛନ୍ତି ।
ହେଲେ କେନ୍ଦ୍ର ସରକାର ମାଗଣାରେ ଟିକା ଯୋଗାଇବେ କି ନାହିଁ ସେନେଇ କିଛି ନିଷ୍ପତ୍ତି ହୋଇନଥିବାରୁ ଏବେ ସରକାରୀ ବ୍ୟବସ୍ଥାରେ ଟିକା ମିଳୁନି । ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ୍ ମାଣ୍ଡଭିୟ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ନିକଟରେ ଆବଶ୍ୟକ ପରିମାଣର ବୁଷ୍ଟର ଡୋଜ୍ ମହଜୁଦ୍ ଅଛି । ରାଜ୍ୟ ସରକାର ଚାହିଁଲେ ଟିକା କିଣିପାରିବେ ।
ଅପରପକ୍ଷେ ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି, ବୁଷ୍ଟର ଡୋଜ୍ ଯୋଗାଇବାକୁ ଆମେ କେନ୍ଦ୍ରକୁ ଚିଠି ଲେଖିଛୁ । କେନ୍ଦ୍ର ପକ୍ଷରୁ ଟିକା କିଣିବା ନେଇ କୌଣସି ନିର୍ଦ୍ଦେଶ ଆସିନାହିଁ କି ବୁଷ୍ଟର ଡୋଜ ଦେବେ ନାହିଁ ବୋଲି ରୋକଠୋକ୍ ମନା କରିନାହାନ୍ତି । ଯଦି ସେଭଳି କିଛି ନିର୍ଦ୍ଦେଶ ଆସିବ, ତେବେ କୋଭିଡ୍ ମୁକାବିଲା ପାଇଁ ରାଜ୍ୟ ସରକାର ଟିକା କିଣିବା ଉପରେ ବିଚାର କରିବେ ।