କନକ ବ୍ୟୁରୋ: କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ ପାଇଁ ରାଉରକେଲା ଷ୍ଟେସନରେ ପ୍ରଶାସନ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଉଛି। ବାହାର ରାଜ୍ୟରୁ ଆସି ଓହ୍ଲାଉଥିବା ପ୍ରତ୍ୟେକ ଯାତ୍ରୀଙ୍କର ପଞ୍ଜୀକରଣ କରାଯିବା ସହ ଥର୍ମାଲ ସ୍କ୍ରିନିଂ କରାଯାଉଛି। ତା’ ସହିତ ଆରଟିପିସିଆର ନେଗେଟିଭ୍ ରିପୋର୍ଟ କିମ୍ବା ଡବଲ ଡୋଜ୍ ଟିକା ସାର୍ଟିଫିକେଟ ଯାଞ୍ଚ କରାଯାଉଛି। ଯେଉଁ ଯାତ୍ରୀଙ୍କ ପାଖରେ କିଛି ଲକ୍ଷଣ ଦେଖାଦେଉଛି ସେମାନଙ୍କର ଆଣ୍ଟିଜେନ ପରୀକ୍ଷା କରାଯାଉଛି ବୋଲି ରାଉରକେଲା ମହାନଗର ନିଗମ କମିସନର ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି।
‘‘ରାଉରକେଲା ଷ୍ଟେସନରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ରେଳବାଇ କର୍ତ୍ତୃପକ୍ଷ ଏବଂ ମହାନଗର ନିଗମ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବିଶେଷକରି ଯାତ୍ରୀମାନଙ୍କର ସ୍କ୍ରିନିଂ, ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ସବୁବେଳେ ଆମ କର୍ମଚାରୀମାନେ ଷ୍ଟେସନରେ ଉପସ୍ଥିତ ରହୁଛନ୍ତି’’, କହିଛନ୍ତି ମହାନଗର ନିଗମ କମିସନର।
ଆଣ୍ଟିଜେନ ରିପୋର୍ଟ ପଜିଟିଭ ଆସୁଥିବା ବ୍ୟକ୍ତିଙ୍କୁ କୋଭିଡ୍ କେୟାର ସେଣ୍ଟର କିମ୍ବା ଅସ୍ଥାୟୀ ସ୍ଵାସ୍ଥ୍ୟକେନ୍ଦ୍ର (ଟିଏମସି)କୁ ପଠାଯାଉଛି। ସେଠାରେ ସେମାନେ ଆଇସୋଲେସନରେ ରହୁଛନ୍ତି। ଏହାଛଡ଼ା ଯେଉଁ ଯାତ୍ରୀମାନେ ଆରଟିପିସିଆର ରିପୋର୍ଟ ବା ଟିକା ସାର୍ଟିଫିକେଟ ଦେଖାଉଛନ୍ତି ସେମାନଙ୍କୁ ୧୪ ଦିନିଆ ହୋମ୍ ଆଇସୋଲେସନ ପାଇଁ ପରାମର୍ଶ ଦିଆଯାଉଛି। ସଂପୃକ୍ତ ବ୍ୟକ୍ତିମାନେ ହୋମ୍ ଆଇସୋଲେସନ ନିୟମ ପାଳୁଛନ୍ତି କି ନାହିଁ ତାହା ତଦାରଖ କରିବା ପାଇଁ ରାପିଡ୍ ରେସପନ୍ସ ଟିମ୍ ବା ଆରଆରଟିକୁ ଦାୟିତ୍ୱ ଦେଇଛି ପ୍ରଶାସନ।
ସେହିପରି ଷ୍ଟେସନରେ ସାମାଜିକ ଦୂରତା ରକ୍ଷା କରିବା ଲାଗି ପ୍ରଶାସନ ପଦକ୍ଷେପ ନେଇଛି। ଟିକେଟ କାଉଣ୍ଟର, ଯାତ୍ରୀଙ୍କ ପ୍ରତୀକ୍ଷା ସ୍ଥାନରେ ସାମାଜିକ ଦୂରତା ରକ୍ଷା କରାଯାଉଛି। ଷ୍ଟେସନରେ ଯେପରି ଗହଳି ନହେବ ସେଥିଲାଗି ପ୍ରଶାସନ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଉଛି।
ମଧ୍ୟପ୍ରଦେଶ, ଛତିଶଗଡ଼ ମହାରାଷ୍ଟ୍ର, କେରଳ, ପଞ୍ଜାବ, ଗୁଜୁରାଟ, ପଶ୍ଚିମବଙ୍ଗ, ବିହାର ଓ ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରୁ ଟ୍ରେନରେ ଆସୁଥିବା ଯାତ୍ରୀମାନଙ୍କ ଉପରେ ପ୍ରଶାସନ ନଜର ରଖିଛି। ସିଭିଲ ଡିଫେନ୍ସ ଟିମ୍ ସହ ରେଲୱେ ଓ ବ୍ଲକ କର୍ମଚାରୀ ଏବଂ ଆଇସିଡିଏସର କର୍ମୀମାନେ ଏହି ଯାଞ୍ଚ ପ୍ରକ୍ରିୟାରେ ସହଯୋଗ କରୁଛନ୍ତି। ଆରଜିଏଚର ସ୍ୱାସ୍ଥ୍ୟ କର୍ମୀ ଉପସ୍ଥିତ ରହି ଆଣ୍ଟିଜେନ ଟେଷ୍ଟିଂ କରୁଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/9d358d9a-cd9d-4b6f-aab2-ab57252152d6-750x430.jpg)