ଗଞ୍ଜାମ ଜିଲ୍ଲାରେ ବାହାରିଲା କରୋନା ସଚେତନତା ରଥ : ଜିଲ୍ଲାର ଗାଁ ଗାଁରେ ବୁଲି ଏହି ରଥ କରୋନା ସମ୍ପର୍କରେ ସଚେତନତା ଦେବ । ବ୍ରହ୍ମପୁର ସହ ୧୦ ବ୍ଲକରେ ବୁଲିବ ଏହି ରଥ ।

97

ଗଞ୍ଜାମ ଜିଲ୍ଲାରେ କରୋନାକୁ ପ୍ରତିହତ କରିବା ପାଇଁ ୟୁନିସେଫ୍ ଓଡିଶା ଶାଖା ସହାୟତାରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ସାଂସ୍କୃତିକ କାର୍ୟ୍ୟକ୍ରମ ଯୋଡି ଶଙ୍ଖ ବାଦନ ପୂର୍ବକ କୋଭିଡ୍ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ କରାଯାଇଛି । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପୂର୍ବାହ୍ନରେ ସବୁଜ ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ସଚେତନତା ରଥ ଆଜି ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଦୈନିକ ଦୁଇଟି ବ୍ଲକ୍ ହିସାବରେ ମୋଟ୍ ଦଶଟି ବ୍ଲକ୍ ପରିକ୍ରମା କରି ଲୋକଙ୍କ ନିକଟରେ ସଚେତନତାର ବାର୍ତ୍ତା ପହଞ୍ଚାଇବ । ଏହି ଅବସରରେ ସ୍ଥାନୀୟ ଲୋକ କଳାକାରମାନେ ମଧ୍ୟ ଏହି ସଚେତନତା କାର୍ଯ୍ୟରେ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଲୋକ କଳାକାର ମାନଙ୍କ ଦ୍ବାରା କୋଭିଡ୍ ସଚେତନତା ବାର୍ତ୍ତା ପହଁଚାଇବାର ନୂଆ ଚିନ୍ତାଧାରା ଲୋକମାନଙ୍କ ପାଇଁ ମଙ୍ଗଳଦାୟକ ସାବ୍ୟସ୍ତ ହୋଇପାରିବ । ଏହି ରଥ କରୋନା ମହାମାରୀରୁ ରକ୍ଷାପାଇଁ ଏବଂ ନିଜକୁ ସୁରକ୍ଷିତ ରଖିବା ପାଇଁ ଜନ ସାଧାରଣଙ୍କୁ ସଚେତନ କରିବ ।

ପର୍ଯ୍ୟାୟକ୍ରମେ ଏହି ରଥ ଜିଲ୍ଲାସାରା ପରିକ୍ରମା କରାଇ ଲୋକଙ୍କୁ ସଚେତନ କରାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ଆଜି ପୂର୍ବାହ୍ନରେ ଛତ୍ରପୁର ବ୍ଲକ୍ ଓ ଅପରାହ୍ନରେ ହିଞ୍ଜିଳି ବ୍ଲକ୍, ୨୬ ତାରିଖ ଦିନ କବି ସୂର୍ୟ୍ୟନଗର ଓ ପୋଲସରା ବ୍ଲକ୍, ୨୭ ତାରିଖ ଦିନ ଭଞ୍ଜନଗର ଓ ଶେରଗଡ ବ୍ଲକ୍, ୨୮ ତାରିଖ ଦିନ ସାନଖେମୁଣ୍ଡି ଓ ଦିଗପହଣ୍ଡି ବ୍ଲକ୍ ଏବଂ ୨୯ ତାରିଖ ଦିନ ରଙ୍ଗେଇଲୁଣ୍ଡା ବ୍ଲକ୍ ଓ ବ୍ରହ୍ମପୁର ମ୍ୟୁନିସପାଲଟି ପରିକ୍ରମଣ କରି ଜନସାଧାରଣଙ୍କୁ ସଚେତନ କରାଇବ । କରୋନା ମହାମାରୀକୁ ରୋକିବା ପାଇଁ ଔଷଧ ବାହାରିବା ଓ ଏହାର ସଫଳ ଫଳପ୍ରଦ ହେବା ପର୍ୟ୍ୟନ୍ତ ଆମ ସମସ୍ତଙ୍କୁ ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତ୍ବ ରକ୍ଷା କରିବା ଓ ୪୦ ସେକେଣ୍ଡ ଧରି ହାତ ଧୋଇବା ଅଭ୍ୟାସକୁ ମାନି ଚଳିବା ସମ୍ପର୍କରେ ସଚେତନତା ଜାରି ରହିବାର ଆବଶ୍ୟକତା ରହିଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରେ ୧୫୦ଟି ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ଅଛି । ସଂପ୍ରତି ଜିଲ୍ଲାରେ ମାତ୍ର ୨୧ ଟି କରୋନା ଆକ୍ଟିଭ୍ କେସ୍ ରହିଛି । ନୂଆବର୍ଷ ଉପଲକ୍ଷେ ପିକନିକ୍ ସ୍ପଟ୍ ଗୁଡିକରେ ମଧ୍ୟ ଗହଳି ନ କରିବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲାର ସମସ୍ତ ଅଧିକାରୀମାନେ ମୁଖ୍ୟ କାର୍ଯ୍ୟାଳୟ ନ ଛାଡିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶଙ୍କର୍ଷଣ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଏବଂ ସମସ୍ତ ସାମ୍ବାଦିକ ଗଣ ଉପସ୍ଥିତ ଥିଲେ ।