କୋଭିଡ୍ ସମୟରେ ମାନସିକ ରୋଗୀଙ୍କ ପାଇଁ ବିଶେଷଜ୍ଞଙ୍କ ପରାମର୍ଶ । ନେଇପାରିବେ କୋଭିଡ୍ ଟିକା , କୋଭିଡ୍ ଔଷଧ ଖାଇବାରେ ନାହିଁ କୌଣସି ଅସୁବିଧା । 

178

କନକ ବ୍ୟୁରୋ: କୋଭିଡ୍ ସମୟରେ ମାନସିକ ରୋଗୀ କିପରି ରହିବେ ଏବଂ ସେମାନେ କୋଭିଡ୍ ପଜିଟିଭ୍ ହେଲେ କେଉଁ କେଉଁ ପନ୍ଥା ଆପଣାଇବେ ସେନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ସାରଦା ପ୍ରସନ୍ନ ସ୍ୱାଇଁ । ତାଙ୍କ କହିବା ମୁତାବକ, ବର୍ତ୍ତମାନ ପରିସ୍ଥିତିରେ ଲୋକଙ୍କ ମନରେ ଅହେତୁକ ଭୟ ରହୁଛି । ଆଗରୁ କୌଣସି ଲୋକଙ୍କ ପାଖରେ ମାନସିକ ରୋଗ ଥିଲେ ବର୍ତ୍ତମାନ ମହାମାରୀ ସମୟରେ ଏହା ପ୍ରଭାବିତ ହେବାର ମଧ୍ୟ ଯଥେଷ୍ଟ ଆଶଙ୍କା ରହିଛି । ହେଲେ ଲୋକମାନେ ଏଥିପ୍ରତି ଭୟଭୀତ ନହେବା ସହିତ ନିଜକୁ ସବୁବେଳେ କୌଣସି ନା କୌଣସି କାମରେ ନିୟୋଜିତ କରି ରଖିବାକୁ ସେ ପରାମର୍ଶ ଦେଇଛନ୍ତି ।

ଏଥିସହ ଜଣେ ମାନସିକ ରୋଗୀ କୋଭିଡ୍ ପଜିଟିଭ୍ ହେଲେ ସେ କେଉଁ କେଉଁ ଚିକିତ୍ସା ପଦ୍ଧତି ଆପଣାଇବେ ସେନେଇ ମଧ୍ୟ ଡାକ୍ତର ଶାରଦା ପ୍ରସନ୍ନ ସ୍ୱାଇଁ ପରାମର୍ଶ ଦେଇଛନ୍ତି । ଜଣେ ମାନସିକ ରୋଗୀ କୋଭିଡ୍ ପଜଟିଭ୍ ଚିହ୍ନଟ ହେବା ପରେ ନିଜ ମାନସିକ ରୋଗର ଔଷଧ ସହ କୋଭିଡ୍ ଔଷଧ ମଧ୍ୟ ନେଇପାରିବେ । ଏହାସହ ଘରେ ସଙ୍ଗରୋଧରେ ରହୁଥିବା ବ୍ୟକ୍ତି ୨୪ ଘଂଟା ଘର ଭିତରେ ବନ୍ଦ ନରହି କିଛି ଶାରିରୀକ କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ସେହିପରି ଜଣେ ମାନସିକ ରୋଗୀ କୋଭିଡ୍ ଟିକା ନେଇପାରିବେ କି ନାହିଁ ପ୍ରଶ୍ନରେ ବିଶେଷଜ୍ଞ କହିଛନ୍ତି ଯେ, ଜଣେ ମାନସିକ ରୋଗୀ କୋଭିଡ୍ ଟିକା ନେବାରେ କୌଣସି ଅସୁବିଧା ନାହିଁ ।  ଅନ୍ୟ ଲୋକଙ୍କ ଭଳି ସେ ମଧ୍ୟ ସାଧାରଣ ଭାବେ କୋଭିଡ୍ ଟିକା ନେଇପାରିବେ । ତେବେ ଜଣେ ମାନସିକ ରୋଗୀ କିଭଳି ଉପଯୁକ୍ତ ଭାବେ କୋଭିଡ୍ ଗାଇଡଲାଇନ୍ ପାଳନ କରିବ ତା ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ଏଥିସହ ସମସ୍ତେ ମାସ୍କ ଓ ସାମାଜିକ ଦୂରତା ପାଳନ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।