ତୃତୀୟ ଲହରରେ ତିନି ଚାରି ଦିନରେ ସୁସ୍ଥ ହେଉଛନ୍ତି ଆକ୍ରାନ୍ତ । ନୂଆ ଲକ୍ଷଣ ନେଇ ସୂଚନା ଦେଲେ ସରକାର ।

464

କନକ ବ୍ୟୁରୋ : ତୃତୀୟ ଲହରରେ ଆକ୍ରାନ୍ତ ହେଉଥିବା ରୋଗୀ ତିନି ଚାରି ଦିନରେ ସୁସ୍ଥ ହୋଇ ଯାଉଛନ୍ତି । ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ତଥ୍ୟ ଦିଆଯାଇଛି । ଆହୁରି ଆଶ୍ୱସ୍ତିକର ଖବର ହେଉଛି, ଏବେ ଭୂତାଣୁ ନାକ ଓ ଗଳାରେ ରହୁଛି, ଛାତିକୁ ଆସୁ ନାହିଁ । ଫଳରେ ଫୁସଫୁସ ସଂକ୍ରମଣ ଏବଂ ଏହାର ପ୍ରଭାବରେ ଦେଖା ଯାଉଥିବା ଅକ୍ସିଜେନ ଅଭାବ ପରି ପରିସ୍ଥିତି ସୃଷ୍ଟି ହେଉ ନାହିଁ । ନୂଆ ଷ୍ଟ୍ରେନ ଯୋଗୁଁ ହେଉଥିବା ଏହି ସଂକ୍ରମଣର ପ୍ରଥମ ଲକ୍ଷଣ ହେଉଛି, ଗଳା ବଥା । ଏଥିସହ ନାକବନ୍ଦ, ମୁଣ୍ଡ-ଗୋଡ-ହାତ ଦରଜ ଭଳି ଲକ୍ଷଣ ଦେଖାଯାଉଛି । ସେପଟେ ଟେଷ୍ଟିଂକୁ ନେଇ ମଧ୍ୟ ଆଭିମୁଖ୍ୟ ବଦଳାଇଛନ୍ତି ସରକାର ।

କରୋନା ମୁକାବିଲା ପାଇଁ ଟେଷ୍ଟିଂ ଉପରେ ଆରମ୍ଭରୁ ବେଶ ଗୁରୁତ୍ୱ ଦିଆଯାଇଥିଲା । କିନ୍ତୁ ତୃତୀୟ ଲହରରେ ପ୍ରଥମ ଥର ପାଇଁ ଟେଷ୍ଟିଂକୁ ନେଇ ସରକାରଙ୍କ ସ୍ୱର ବଦଳିଛି । କହିଛନ୍ତି ଲକ୍ଷଣ ନଥିଲେ କରୋନା ପରୀକ୍ଷା କରିବା ଆବଶ୍ୟକ ନାହିଁ । କରୋନା ପରୀକ୍ଷା ନେଇ ସ୍ୱର ବଦଳାଇଛନ୍ତି ରାଜ୍ୟ ସରକାର । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ କରୋନାର ଲକ୍ଷଣ ନଥିଲେ ଟେଷ୍ଟ କରନ୍ତୁ ନାହିଁ । ଏପରିକି ପଜିଟିଭ ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ଯଦି ଲକ୍ଷଣ ନାହିଁ, ପରୀକ୍ଷା କରିବାର ଆବଶ୍ୟକତା ନାହିଁ ।

ରାଜ୍ୟରେ ଚାଲିଛି କରୋନାର ତୃତୀୟ ଲହର । ସରକାର କହିଲେ ୩/୪ ଦିନରେ ସୁସ୍ଥ ହେଉଛନ୍ତି ଆକ୍ରାନ୍ତ । କରୋନା ନୂଆ ପ୍ରଜାତି ଯୋଗୁଁ ରାଜ୍ୟରେ କରୋନାର ଦ୍ରୁତ ସଂକ୍ରମଣ ହେଉଛି । ବର୍ଷ ଆରମ୍ଭରୁ ସଂକ୍ରମଣ ବଢିଥିବା ବେଳେ ଏବେ ଦୈନିକ ୧୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ ଆକ୍ରାନ୍ତଙ୍କ ପାଖରେ ସାମାନ୍ୟ ଲକ୍ଷଣ ଦେଖା ଦେଉଛି ।

କରୋନାର ନୂଆ ଲକ୍ଷଣ :

ଗଳା ବଥାରୁ ଆରମ୍ଭ ହେଉଛି ସଂକ୍ରମଣ 

୨ରୁ ୩ ଦିନ ନାକ ବନ୍ଦ ରହୁଛି, ମୁଣ୍ଡ ବ୍ୟଥା ଓ ଦେହ ହାତ ଦରଜ ହେଉଛି

ଭୂତାଣୁ ନାକ ଓ ଗଳାରେ ରହୁଛି, ଛାତିକୁ ଆସୁନାହିଁ 

ରୋଗୀ ୩-୪ ଦିନରେ ସୁସ୍ଥ ହୋଇଯାଉଛନ୍ତି  

ଆକ୍ରାନ୍ତଙ୍କୁ ୭ ଦିନ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି 

ଅଧିକାଂଶ ଆକ୍ରାନ୍ତଙ୍କ ସମାନ୍ୟ ଲକ୍ଷଣ ଥିବାରୁ ଘରେ ସଙ୍ଗରୋଧରେ ରହି ଚିକିତ୍ସିତ ହେବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର । କିଛି ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡୁଥିବାରୁ ମେଡିକାଲ ଉପରେ କମ୍ ଚାପ ପଡୁଛି । ଏବେ ଆସନ୍ତୁ ନଜର ପକାଇବା ଦ୍ୱିତୀୟ ଲହର ସମୟରେ ରାଜ୍ୟରେ ଦୈନିକ ସଂକ୍ରମଣ ଟପିଯାଇଥିଲା, ସେ ସମୟର ଏବଂ ତୃତୀୟ ଲହରରେ ହସପିଟାଲର ତୁଳନାତ୍ମକ ଚିତ୍ର ।

                                ଦ୍ୱିତୀୟ ଲହର                                    ତୃତୀୟ ଲହର  

ଜେନେରାଲ ବେଡ     – ୫୨.୬୫ %                                         ୭.୮୭  %

ଆଇସିୟୁ                 –  ୭୯.୬୭ %                                       ୧୩.୧୦ %   

ଭେଂଟିଲେଟର          –  ୬୨.୩୬ %                                        ୩.୮୫ % 

ରାଜ୍ୟରେ ଦୈନିକ ନୂଆ ମାମଲା ୧୦ ହଜାର ଉପରେ ଚିହ୍ନଟ ହେଉଥିଲେ ମଧ୍ୟ ଗୁରୁତର ରୋଗୀଙ୍କ ସଂଖ୍ୟା କମ ଥିବାରୁ ସ୍ୱାସ୍ଥ୍ୟ ସେବା ଉପରେ କମ ଚାପ ପଡୁଛି ।