ଖୁସି ଖବର: ଗ୍ରୀନ ଜୋନରେ ଓଡିଶା । ରାଜ୍ୟରେ ହଜାରେ ତଳେ କୋଭିଡ ସକ୍ରିୟ ସଂଖ୍ୟା । 

673

କନକ ବ୍ୟୁରୋ : ଭୂତାଣୁ ଭିତରେ ରାଜ୍ୟ ପାଇଁ ଖୁସି ଖବର । ଏବେ ଗ୍ରୀନ ଜୋନରେ ରହିଛି ଓଡିଶା । କାରଣ ରାଜ୍ୟରେ ଏବେ ହଜାରେ ତଳକୁ ଖସିଛନ୍ତି କୋଭିଡ ସକ୍ରିୟ ସଂଖ୍ୟା । ଆଜିର କୋଭିଡ ରିପୋର୍ଟ ଅନୁସାରେ ରାଜ୍ୟରେ ମୋଟ ୯୫୩ ଜଣ ସକ୍ରିୟ ରହିଛନ୍ତି । ଏହି ରିପୋର୍ଟ ଦେଖିଲେ ସ୍ପଷ୍ଟ ଜଣାପଡୁଛି ରାଜ୍ୟରେ ଦିନକୁ ଦିନ କୋଭିଡ ସ୍ଥିତି ସୁଧୁରିବାରେ ଲାଗିଛି । 

ଆଜି ରାଜ୍ୟରେ ମୋଟ ୭୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୪୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୨ ଜଣ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ତେବେ ଗତ କିଛି ଦିନ ହେବ କରୋନା ପଜିଟିଭ ସଂଖ୍ୟା ଶହେ ତଳେ ରହିଛି । ସେପଟେ ଆଜି ରାଜ୍ୟରୁ ୧୩୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଭଳି ଖବର କରୋନା ଭୂତାଣୁ ଭିତରେ ରାଜ୍ୟ ପାଇଁ ଏକ ଆଶ୍ୱସ୍ତିକର ଖବର ।

ଏହାସହ ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୧୫୧ରେ ପହଞ୍ଚିଛି । ସେହିପରି ୩ ଲକ୍ଷ ୩୨ ହଜାର ୨୩୯ରେ ପହଞ୍ଚିଛି କରୋନା ସୁସ୍ଥ ସଂଖ୍ୟା । ରାଜ୍ୟରେ କରୋନାରେ ୧ ହଜାର ୯୦୬ ଜଣଙ୍କ ମୃତ୍ୟୁ ହୋଇଛି ।