ଅକ୍ଟୋବର ନଭେମ୍ବରରେ ରାଜ୍ୟରେ ତୃତୀୟ ଲହର ଆଶଙ୍କା : ୧୮ ବର୍ଷରୁ କମ୍ ବୟସ୍କ ଆକ୍ରାନ୍ତ ହେବା ଆଶଙ୍କା କରି ପ୍ରସ୍ତୁତି କରୁଛନ୍ତି ସରକାର; ପ୍ରାୟ ୪ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ସ୍ୱତନ୍ତ୍ର ତାଲିମ୍

775

କନକ ବ୍ୟୁରୋ : ରାଜ୍ୟରେ ଆଗାମୀ ଅକ୍ଟୋବର-ନଭେମ୍ବରରେ କରୋନାର ସମ୍ଭାବ୍ୟ ତୃତୀୟ ଲହର ଆଶଙ୍କା କରି ପ୍ରସ୍ତୁତି କରୁଛନ୍ତି ସରକାର । କିଛି ୟୁରୋପୀୟ ଦେଶରେ ତୃତୀୟ ଲହର ଆରମ୍ଭ ହୋଇସାରିଲାଣି । ଆମ ରାଜ୍ୟରେ ପ୍ରଥମ ଓ ଦ୍ୱିତୀୟ ଲହର ମଧ୍ୟରେ ଯେତିକି ମାସର ବ୍ୟବଧାନ ଥିଲା, ତାହାଠାରୁ କମ୍ ସମୟ ମଧ୍ୟରେ ତୃତୀୟ ଲହର ଆସିପାରେ ବୋଲି ଆକଳନ କରୁଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

ଗତକାଲି ଏ ସଂକ୍ରାନ୍ତରେ ସୂଚନା ଦେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ତୃତୀୟ ଲହରରେ ୧୮ ବର୍ଷରୁ କମ୍ ବୟସ୍କ ଆକ୍ରାନ୍ତ ହେବାର ଆଶଙ୍କା କରାଯାଉଛି । ତେଣୁ ରାଜ୍ୟ ସରକାର ଶିଶୁମାନଙ୍କ ଚିକିତ୍ସା ପାଇଁ ଅତିରିକ୍ତ ୩ ହଜାର ଶଯ୍ୟାର ବ୍ୟବସ୍ଥା କରିଛନ୍ତି । ଏଥିରେ ୬୧୦ ଆଇସିୟୁ ବେଡ୍ ରହିଛି । ଶିଶୁଙ୍କ ଚିକିତ୍ସା ପାଇଁ ପ୍ରାୟ ୪ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ସ୍ୱତନ୍ତ୍ର ଭାବେ ତାଲିମ ଦିଆଯାଉଛି । ସ୍ୱାଧୀନତା ଦିବସ ସୁଦ୍ଧା ରାଜ୍ୟରେ ୧୩ଟି ଜିଲ୍ଲାରେ ଆରଟିପିସିଆର ଲ୍ୟାବ କାର୍ଯ୍ୟକ୍ଷମ କରିବାକୁ ଯୋଜନା ରହିଛି । ଅକ୍ସିଜେନର ଯେଭଳି ଅଭାବ ନହୁଏ ସେଥିପାଇଁ ୪୪ଟି ଲିକ୍ୟୁଇଡ ମେଡିକାଲ ଅକ୍ସିଜେନ୍ ପ୍ଲାଂଟ ଓ ପିଏସ ପ୍ଲାଂଟ ପ୍ରତିଷ୍ଠା କରାଯାଉଛି ।

ସେହିପରି ଟିକାକରଣକୁ ଜୋରଦାର କରିବା ପାଇଁ ପ୍ରୟାସ ଜାରି ରହିଛି । ହେଲେ କୋଭିସିଲ୍ଡ ଟିକାର ଅଭାବ କାରଣରୁ ଏହା ବାଧାପ୍ରାପ୍ତ ହେଉଛି । ଆତିରିକ୍ତ ୧୫ ଲକ୍ଷ ଡୋଜ୍ ଟିକା ଯୋଗାଇ ଦେବାକୁ କେନ୍ଦ୍ରକୁ କୁହାଯାଇଛି । ଦୈନିକ ୫ ଲକ୍ଷ ଡୋଜ୍ ଟିକାକରଣ ପାଇଁ ରାଜ୍ୟରେ କ୍ଷମତା ରହିଥିବା କହିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ।