କନକ ବ୍ୟୁରୋ : କରୋନାକୁ ଦୃଷ୍ଟିରେ ରଖି ଗଞ୍ଜାମରେ ନୂଆ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ଗଞ୍ଜାମର ମନ୍ଦିର, ପାର୍କ, ସମୁଦ୍ରବେଳାଭୂମି, ଗ୍ରାଉଣ୍ଡ ଓ ବିଭିନ୍ନ ହ୍ରଦକୁ ୭ ଦିନ ପାଇଁ ବନ୍ଦ କରିଛି ପ୍ରଶାସନ । ଆସନ୍ତାକାଲିଠାରୁ ଏହି କଟକଣା ଜାରି ହେବ । ଏହି ସମୟରେ ସଂପୃକ୍ତ ସ୍ଥାନଗୁଡିକୁ ସାନିଟାଇଜ କରାଯିବ । ୨୧ ତାରିଖ ଯାଏଁ ଏହି କଟକଣା ବଳବତ୍ତର ରହିବ । ସେହିଭଳି ସର୍ବସାଧାରଣ ସ୍ଥାନରେ ବି ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ପାଳନ ଉପରେ କଟକଣା ଜାରି କରାଯାଇଛି ।
ଆଜି ଗଞ୍ଜାମ ଜିଲ୍ଲାରୁ ୮୦ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ଜିଲ୍ଳା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି କି ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ରେ ୧୦୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ସଂଗରୋଧ କେନ୍ଦ୍ର ପ୍ରସ୍ତୁତ ହୋଇ ସାରିଛି। ଏହାଛଡ଼ା ହିଞ୍ଜିଳିକାଟୁ, ଆସ୍କା, ଭଞ୍ଜନଗର, ଓ ବ୍ରହ୍ମପୁରଠାରେ କୋଭିଡ୍ କେୟାର୍ ସେଣ୍ଟର୍କୁ କାର୍ଯ୍ୟକ୍ଷମ କରାଯାଇଛି। ଠିକ୍ ସେହିପରି ବ୍ରହ୍ମପୁରଠାରେ ଏମ୍କେସିଜି କୋଭିଡ୍ ହସ୍ପିଟାଲ୍କୁ ପୁନର୍ବାର ଖୋଲାଯାଇଛି। ଖୁବ୍ ଶୀଘ୍ର ଅଶ୍ବିନୀ କୋଭିଡ୍ ହସ୍ପିଟାଲ୍ ମଧ୍ୟ କାର୍ଯ୍ୟକ୍ଷମ ହେବ ବୋଲି ଏକ ସାମ୍ବାଦିକ ସମ୍ବିଳନୀରେ ସେ ସୂଚନା ଦେଇ କହିଛନ୍ତି।