ଜୁନ୍ ୧୭ ଯାଏଁ ବଢ଼ିଲା ଲକଡାଉନ : ପୂର୍ବ ପରି ଶନିବାର ଓ ରବିବାର ଜାରି ରହିବ ସଟଡାଉନ; ସକାଳ ୭ଟାରୁ ୧୧ଟା ଯାଏଁ ଯାଇପାରିବେ ବଜାର

275

କନକ ବ୍ୟୁରୋ : ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନକୁ ଜୁନ ୧୭ ପର୍ଯ୍ୟନ୍ତ ବଢ଼ାଇଛନ୍ତି । ଅର୍ଥାତ୍ ଜୁନ ୧ ତାରିଖରୁ ଜୁନ୍ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ପୂର୍ବଭଳି ଲକଡାଉନ ଜାରି ରହିବ । ୧୬ ଦିନ ପୁଣି ଲକଡାଉନକୁ ବଢ଼ାଇଛନ୍ତି ରାଜ୍ୟ ସରକାର । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି, ବର୍ତମାନ ବିପଦଜନକ ସ୍ଥିତିରେ ରହିଛି ରାଜ୍ୟରେ କରୋନା ସଂକ୍ରମଣ । ୧୦ ପ୍ରତିଶତ ଉପରେ ରହିଛି ରାଜ୍ୟରେ ସଂକ୍ରମଣ ହାର । ଜୁନ ୧ ତାରିଖ ସକାଳ ୫ଟା ଯାଏଁ ଲକଡାଉନ ଥିଲା, ଏହାକୁ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି ।

ପୂର୍ବ ପରି ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟ୍‌ଡାଉନ୍ ଜାରି ରହିବ। ସାବିତ୍ରୀ ଓ ରଜ ପାଇଁ ବଜାର ଖୋଲାଯିବ ନାହିଁ ବୋଲି ସ୍ପଷ୍ଟ ହୋଇଛି। ତେବେ ତିନିଟି ଜିଲ୍ଲା ପାଇଁ ଲକ୍‌ଡାଉନ୍‌ କଟକଣାରେ କିଛିଟା କୋହଳ କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ନୂଆପଡ଼ା ଓ ଗଜପତି। ଏଠାରେ ଦୋକାନବଜାର ସୋମବାରରୁ ଶୁକ୍ରବାର ଯାଏ ସକାଳ ୭ଟାରୁ ଅପରାହ୍ନ ୧ଟା ଯାଏ ଖୋଲିପାରିବ। ତେବେ ମଲ୍‌, ମାର୍କେଟ୍‌ କମ୍ପ୍ଲେକ୍ସ, ସାପ୍ତାହିକ ହାଟ, ସେଲୁନ୍, ସ୍ପା ଓ ବିଉଟି ପାର୍ଲର୍‌ ଖୋଲିପାରିବ ନାହିଁ। ଏଠାରେ ସପ୍ତାହନ୍ତ ସଟ୍‌ଡାଉନ୍ ଜାରି ରହିବ। ଏହି ତିନିଟି ଜିଲ୍ଲାରେ ସଂକ୍ରମଣ ହ୍ରାସ ପାଇଥିବାରୁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ତେବେ ଯଦି ଏଠାରେ ସଂକ୍ରମଣ ପୁଣି ବଢ଼ିବା ପରିଲକ୍ଷିତ ହୁଏ, ତେବେ ଏହି କୋହଳ ବ୍ୟବସ୍ଥାକୁ ପ୍ରତ୍ୟାହାର କରାଯିବ ।

୨୭ଟି ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସକାଳ ୭ରୁ ୧୧ଟା ଯାଏ ଖୋଲା ରହିବ। ଦୈନିକ ଓ ସାପ୍ତାହିକ ହାଟ ବନ୍ଦ ରହିବ। କେବଳ ଗୋଟିକିଆ ଦୋକାନକୁ ପୂର୍ବ ପରି ଅନୁମତି ମିଳିବ। ଲୋକମାନେ ନିଜର ଆବଶ୍ୟକ ଖାଦ୍ୟପଦାର୍ଥ ପାଖ ଦୋକାନରୁ ଚାଲି ଚାଲି ଯାଇ ଆଣିବେ। ତେବେ ଶନିବାର ଓ ରବିବାର ଏସବୁ ଦୋକାନ ବନ୍ଦ ରହିବ। କେବଳ ଔଷଧ ଦୋକାନ ଖୋଲା ରହିବ।

ଖାଦ୍ୟ, ଔଷଧ ଓ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ‘ହୋମ୍‌‌ ଡେଲିଭରି’ ଉପରେ କୌଣସି କଟକଣା କରାଯାଇ ନାହିଁ । ବିବାହ, ବ୍ରତ ଓ ଅନ୍ତ୍ୟେଷ୍ଟି କ୍ରିୟା ଉପରେ ଜାରି ହୋଇଥିବା କଟକଣା ବଳବତ୍ତର ରହିବ । ବିବାହ ପାଇଁ ୨୫ ଲୋକଙ୍କୁ, ବ୍ରତ ଓ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ମାତ୍ର ୨୦ ଜଣଙ୍କୁ ଅନୁମତି ମିଳିବ । ଏହିସବୁ କାର୍ଯ୍ୟକ୍ରମରେ ଭୋଜିଭାତ କରାଯିବ ନାହିଁ ଓ ଅତିଥିଙ୍କୁ କେବଳ ଖାଦ୍ୟ ପାର୍ସଲ୍‌ ଦିଆଯାଇପାରିବ । ସବୁ ପ୍ରକାର ଯାତ୍ରବାହୀ ବସ୍‌ ଚଳାଚଳ ବାତିଲ କରାଯାଇଛି । ରାଜ୍ୟ ଭିତରେ କିମ୍ବା ବାହାରକୁ କୌଣସି ବସ୍‌ ଚଳାଚଳ କରିପାରିବ ନାହିଁ ।

ସ୍ବାସ୍ଥ୍ୟ ସେବା, କୃଷି କାର୍ଯ୍ୟ, ନିର୍ମାଣ କାର୍ଯ୍ୟ, ଶ୍ରମିକ ପରିବହନ, ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ, ବ୍ୟାଙ୍କିଙ୍ଗ୍‌ ସେବା ଆଦି ପୂର୍ବ ପରି ଚାଲୁ ରହିବ । ଶିଳ୍ପ ସଂସ୍ଥାଗୁଡ଼ିକ ସେମାନଙ୍କ ଉତ୍ପାଦନ କାର୍ଯ୍ୟ ଯଥ‌ାରୀତି ଜାରି ରଖିବେ । ଖବରକାଗଜ ବିତରକମାନେ ସକାଳ ୫ଟାରୁ ୮ଟା ଯାଏ ଖବରକାଗଜ ବିତରଣ କରିପାରିବେ । ଟିକା ଓ ଟେଷ୍ଟିଂ କାର୍ଯ୍ୟ ଲକ୍‌ଡାଉନ୍‌ରେ ପ୍ରଭାବିତ ହେବ ‌ନାହିଁ ବୋଲି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି । ଟିକା ପାଇଁ ଅନୁମତିପ୍ରାପ୍ତ ବ୍ୟକ୍ତି ଟିକା କେନ୍ଦ୍ରକୁ ବିନା ବାଧାରେ ଯାଇପାରିବେ। ସେହିପରି କୋଭିଡ୍‌ ଟେଷ୍ଟିଂ ପାଇଁ ବି ନିକଟସ୍ଥ ଟେଷ୍ଟିଂ କେନ୍ଦ୍ରକୁ ଲୋକମାନେ ଯାଇପାରିବେ।