ମେଡିକାଲ ଜର୍ଣ୍ଣାଲ ଲାନସେଟ୍ ଷ୍ଟଡିର ବଡ଼ ଦାବି : କରୋନା ଭ୍ୟାକସିନ୍ ବଞ୍ଚାଇଦେଇଛି ୪୨ଲକ୍ଷରୁ ଅଧିକ ଭାରତୀୟଙ୍କ ଜୀବନ

128

କନକ ବ୍ୟୁରୋ : କରୋନା ଟିକା ବଞ୍ଚାଇ ଦେଇଛି ୪୨ଲକ୍ଷ ଭାରତୀୟଙ୍କ ଜୀବନ । ବିଶ୍ୱର ପ୍ରସିଦ୍ଧ ମେଡିକାଲ ଜର୍ଣ୍ଣାଲ ଲାନସେଟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହି ଦାବି କରାଯାଇଛି । ଏଥିରେ କୁହାଯାଇଛି କରୋନା ଭ୍ୟାକସିନ ୪୨ଲକ୍ଷ ଭାରତୀୟଙ୍କ ଜୀବନ ବଞ୍ଚାଇ ଦେଇଛି । ଟିକା ନେଇନଥିଲେ ଏମାନଙ୍କ ଜୀବନ ଯିବାର ଯଥେଷ୍ଟ ଆଶଙ୍କା ଥିଲା ।

୨୦୨୦ ରୁ ୨୦୨୧ ମଧ୍ୟରେ କୋଭିଡ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରାଯାଇଥିଲା । ସେହି ସମୟରେ କୋଭିଡ ଟିକାକରଣ ଆରମ୍ଭ ହୋଇଥିଲା । ଏହି ରିପୋର୍ଟରେ ଆହୁରି କୁହାଯାଉଛି, ଟିକାକରଣ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଯଉଁ ଟାର୍ଗେଟ ରଖାଯାଇଥିଲା ତାହା ପୂରଣ ହୋଇଥିଲେ ଆହୁରି ପ୍ରାୟ ୬ଲକ୍ଷ ଜୀବନ ବଞ୍ଚି ଯାଇଥାନ୍ତା । ୨୦୨୧ ସୁଦ୍ଧା ଜନସଂଖ୍ୟାର ପ୍ରାୟ ୪୦ପ୍ରତିଶତ ଲୋକଙ୍କୁ ଟିକାର ଗୋଟିଏ କିମ୍ବା ଦୁଇ ଡୋଜ୍ ଦେବାକୁ ଲକ୍ଷ୍ୟ ରଖାଯାଇଥିଲା ।

କିନ୍ତୁ ବିଭିନ୍ନ କାରଣରୁ ଏହା ସମ୍ଭବ ହୋଇପାରିନଥିଲା । ଲଣ୍ଡନର ଇମିରିଆଲ କଲେଜ ପକ୍ଷରୁ ଏହି ଅଧ୍ୟୟନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଭାରତରେ ୧୯୬ଲକ୍ଷ କରୋନା ଟିକା ଦିଆସରିଲାଣି । କରୋନା ଯୋଗୁଁ ଦେଶରେ ୫ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇସାରିଲାଣି । କେବଳ ଏତିକି ନୁହେଁ ଟିକା ଯୋଗୁଁ ସାରା ବିଶ୍ୱରେ ପ୍ରାୟ ୨କୋଟି ଲୋକଙ୍କ ଜୀବନ ବଂଚିଯାଇଥିବା ଏହି ରିପୋର୍ଟରେ କୁହାଯାଇଛି ।