ଆଜିଠୁ ୧୫ ରୁ ୧୮ ବର୍ଷର ପିଲାଙ୍କୁ ଦିଆଯିବ ଟିକା : ୮ତାରିଖ ପରେ ଦଶମ, ୧୧ପରେ ଦ୍ୱାଦଶ ଛାତ୍ରଛାତ୍ରୀଙ୍କୁ ଟିକା

ପ୍ରଥମେ ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କୁ ଦେବା ପାଇଁ ପରାମର୍ଶ ; ୮ତାରିଖ ପରେ ମାଟ୍ରିକ ଓ ୧୧ ପରେ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ କରାଯିବ ଟିକାକରଣ

112

କନକ ବ୍ୟୁରୋ : ଆଜିଠାରୁ ସାରାଦେଶରେ ଆରମ୍ଭ ହେବ କିଶୋରଙ୍କୁ ଟିକାଦାନ । ୧୫ରୁ ୧୮ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା । ପିଲାଙ୍କୁ ଟିକାକରଣ ପାଇଁ ରାଜ୍ୟରେ ପ୍ରସ୍ତୁତି ଶେଷ ହୋଇଛି । ଜିଲ୍ଲା ମାନଙ୍କରେ ଭ୍ୟାକ୍ସିନ ପହଁଚି ସାରିଛି । କିଶୋରଙ୍କ ଟିକାକରଣ ପାଇଁ ସ୍ୱତନ୍ତ୍ର ଭାବେ ପ୍ରାୟ ୯୩୯ ଟିକାକରଣ କେନ୍ଦ୍ର ଖୋଲାଯାଇଛି । ଏଥିସହ ଯେଉଁଠି ଟିକାକରଣ ଚାଲିଛି ସେଠି ମଧ୍ୟ ପିଲାମାନଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଛି । ଯେଉଁମାନେ ଅନଲାଇନରେ ପଞ୍ଜିକରଣ କରିଛନ୍ତି ସେମାନେ ଟିକା ନେଇପାରିବେ ।

ଯେଉଁମାନେ ପଞ୍ଜିକରଣ କରିନଥିବେ ସେମାନେ ମଧ୍ୟ ଅନସ୍ପଟ ପଞ୍ଜିକରଣ କରି ଟିକା ନେଇପାରିବେ । ସ୍କୁଲରେ ପାଠପଢ଼ୁଥିବା ୧୫ରୁ ୧୮ବର୍ଷ ବୟସର ସମସ୍ତ ପିଲା ଯେମିତି ଟିକା ନେଇପାରିବେ ସେଥିପାଇଁ ସ୍କୁଲର ଅଧ୍ୟକ୍ଷମାନେ ବ୍ୟବସ୍ଥା କରିବେ । ସ୍କୁଲ ଅଧ୍ୟକ୍ଷମାନେ ତାଲିକା ପ୍ରସ୍ତୁତ କରିବେ । ସେହି ତାଲିକା ଅନୁସାରେ ଟିକାକରଣ ବ୍ୟବସ୍ଥା କରିବେ ସିଡିଏମଓ । ରାଜ୍ୟର ପ୍ରାୟ ୨୫ଲକ୍ଷ ପିଲା ୧୫ ରୁ ୧୮ ବର୍ଷ ବୟସର ଅଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ପିଲା ସ୍କୁଲ ଓ କଲେଜରେ ପଢ଼ୁଛନ୍ତି ।

ବର୍ତମାନ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଥିବାରୁ , ତାକୁ ନିୟନ୍ତ୍ରଣ କରିବା ପାଇଁ ଏହି ବର୍ଗର ସମସ୍ତ ପିଲାଙ୍କୁ ଯେମିତି ଟିକାର ପ୍ରଥମ ଡୋଜ୍ ଗୋଟିଏ ମାସ ଭିତରେ ଦିଆଯିବ ସେହି ଲକ୍ଷ୍ୟ ରଖି କାର୍ଯ୍ୟ କରୁଛନ୍ତି ସରକାର । ପ୍ରଥମେ ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କୁ ଟିକା ଦେବାକୁ ପରାମର୍ଶ ଦେଇଛନ୍ତି ଗଣଶିକ୍ଷା ବିଭାଗ ସଚିବ । ମାଟିକର ସମେଟିଭ୍ ପରୀକ୍ଷା ଥିବାରୁ ୮ତାରିଖ ପରେ ସେମାନଙ୍କୁ ଟିକା ଦେବାକୁ ପରାମର୍ଶ ଦିଆଯାଇଛି । ସେହିପରି ୧୧ ତାରିଖ ପରେ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଟିକାଦାନ କରାଯିବ ।