ପୁଣେରୁ ଓଡିଶା ଆସୁଛି କରୋନା ଟିକା: ସ୍ପାଇସଜେଟ୍ ବିମାନରେ ଆସୁଛି କୋଭିସିଲ୍ଡ ଟିକା; ୪୦ହଜାର ୮୦୦ ଡୋଜ୍ ପଠାଇଲା ସେରମ ଇନଷ୍ଟିଚ୍ୟୁଟ

ଅପରାହ୍ଣ ୪ଟା ୨୫ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବ

209

କନକ ବ୍ୟୁରୋ: ପୁଣେର ସେରମ ଇନଷ୍ଟିଚ୍ୟୁଟରୁ ସାରା ଦେଶକୁ ଟିକାର ପ୍ରଥମ ଦଫା ପଠାଯାଉଥିବାବେଳେ, ଭୁବନେଶ୍ୱର ଅଭିମୁଖେ ମଧ୍ୟ ବାହାରିଛି ଟିକା । ପ୍ରଥମ ଦଫାରେ ଭୁବନେଶ୍ୱରରେ ପହଂଚିବ କୋଭିସିଲ୍ଡ ଟିକାର ୪୦ ହଜାର ୮ଶହ ଡୋଜ୍ । ସ୍ପାଇସଜେଟ୍ ବିମାନରେ ଏହାକୁ ପଠାଇବା ପାଇଁ ବନ୍ଦୋବସ୍ତ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଅପରାହ୍ନ ୪ଟା ୨୫ରେ ଏହା ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଏହି ଟିକା ଆସିବା ପରେ ରାଜ୍ୟ ଟିକା ସଂଗ୍ରହାଳୟରେ ରଖାଯିବ । ତେବେ ପୁଣେର ସେରମ ଇନଷ୍ଟିଚ୍ୟୁରୁ ଓଡିଶା ଆସୁଥିବା ଟିକାର ଏକ୍ସକ୍ଲୁସିଭ ଫଟୋ କନକ ନ୍ୟୁଜର ହସ୍ତଗତ ହୋଇଛି ।

ତେବେ କେନ୍ଦ୍ର ସରକାରଙ୍କ ଠାରୁ ପରଚେଜ୍ ଅର୍ଡର ପାଇବା ପରେ ସିରମ୍ ଇନଷ୍ଟିଚୁଟ୍ ଆରମ୍ଭ ହୋଇଛି କୋଭିଡ୍ ଟିକା ପରିବହନ । ପୁଣେରେ ଥିବା ସିରମ୍ ଇନଷ୍ଟିଚୁଟର ମଂଜରୀ ଫ୍ୟାକ୍ଟ୍ରିରୁ ଏହି ଟିକାକୁ ପ୍ରଥମେ ବିମାନ ବନ୍ଦରକୁ ଅଣାଯାଇ , ଆକାଶମାର୍ଗରେ ପଠାଯିବ । ସୂଚନା ଅନୁସାରେ କିଛି କରୋନା ଟିକାକୁ ସଡକ ପଥରେ ପଠାଯିବ, କିଛି ଟିକାକୁ ଆକାଶପଥରେ ପଠାଯିବ । ସଡକ ପଥରେ ଟିକା ପରିବହନ ପାଇଁ ସ୍ୱତନ୍ତ୍ର କୋଲ୍ଡ ଚେନ୍ ବ୍ୟବସ୍ଥା ଥିବା ଟ୍ରକ ନିୟୋଜିତ କରାଯାଇଛି । କଡ଼ା ସୁରକ୍ଷା ମଧ୍ୟରେ ଟିକା ପରିବହନ କରାଯାଉଛି ।

ସୋମବାର ସଂଧ୍ୟାରେ ଏହି ଟ୍ରକ ପୁନେର ମଂଜରୀ ଫ୍ୟାକ୍ଟ୍ରିରେ ପହଁଚିଥିଲା । ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ତିଆରି କରିଥିବା କୋଭିସିଲଡ୍ ଟିକା ଏଠାରୁ ଟ୍ରକ୍ ଯୋଗେ ପୁଣେ ବିମାନ ବନ୍ଦର ଅଭିମୁଖେ ବାହାରିଛି । ଏଠାରୁ ଏୟାର ଲିଫ୍ଟ କରି ଦେଶର ବିଭିନ୍ନ ଭାଗକୁ ଟିକା ପଠାଯିବ । ଜାନୁଆରୀ ୧୬ ତାରିଖରୁ ସାରା ଦେଶରେ କରୋନା ଟିକାକରଣ ଆରମ୍ଭ ହେବାକୁ ଥିବାରୁ ଏହା ଆଗରୁ ସୁରକ୍ଷିତ ଭାବେ କରୋନା ଟିକା ପହଁଚାଇବା କାମ ସାରିବାକୁ ଯୋଜନା ରଖିଛି ସିରମ ଇନଷ୍ଟିଚୁଟ୍