କରୋନା ଟିକାର ଦାମ ହେବ ୨୫୦ ଟଙ୍କା ! ଖୁବ୍ ଶୀଘ୍ର ସରକାରଙ୍କ ସହ ହୋଇପାରେ ସେରମ ଇନଷ୍ଟିଚ୍ୟୁଟର ଚୁକ୍ତି ।

281

କନକ ବ୍ୟୁରୋ : ୨୫୦ ଟଙ୍କାରେ ମିଳିବ କୋଭିଡ୍ ଟିକା । ଖୁବଶୀଘ୍ର କେନ୍ଦ୍ର ସରକାରଙ୍କ ସହ ଚୁକ୍ତି । ଚୁକ୍ତି କରିବ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ । ଭାରତବାସୀଙ୍କ ପାଇଁ ଏହି ଖବର ଏଥିପାଇଁ ଆଶ୍ୱସ୍ତି ଆଣିଦେଇଛି, କାରଣ ମାତ୍ର ୨୫୦ଟଙ୍କାରେ ମିଳିଯିବ କୋଭିଡ ଟିକାର ଗୋଟିଏ ଡୋଜ । ଯେଉଁ ଟିକା ପାଇବା ପାଇଁ କୋଟି କୋଟି ଭାରତୀୟ ଅପେକ୍ଷା କରି ବସିଛନ୍ତି, ସେହି ମାନଙ୍କ ପାଇଁ ଏହି ଟିକା ଆଣିଦେବ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ।

ବିଜନେସ ଷ୍ଟାଣ୍ଡାର୍ଡରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ବିଶ୍ୱର ସବୁଠାରୁ ଅଧିକ ଟିକା ପ୍ରସ୍ତୁତକାରୀ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏନେଇ ଖୁବଶୀଘ୍ର କେନ୍ଦ୍ର ସରକାରଙ୍କ ସହିତ ଚୁକ୍ତି ସ୍ୱାକ୍ଷର କରିବାକୁ ଯାଉଛି ।

ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦର ପୁନାୱାଲା ପୂର୍ବରୁ କହିଥିଲେ,
-ଭାରତର ବେସରକାରୀ ବଜାରରେ ଟିକାର ଦାମ ଏକ ହଜାର ଟଙ୍କା ରହିବ ।
-କିନ୍ତୁ ଭାରତ ସରକାର ବହୁତ ପରିମାଣରେ ଟିକା ଦରକାର କରୁଥିବାରୁ ଖୁବ କମ୍ ଦିନରେ ଏହି ଡିଲ୍ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି ।
-ପୁନାୱାଲା ଆହୁରି ମଧ୍ୟ କହିଥିଲେ, ଅନ୍ୟ ଦେଶକୁ ଦେବା ପୂର୍ବରୁ ସେରମ୍ ପ୍ରଥମେ ଭାରତରେ ଟିକାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବ ।

ସେପଟେ ଜରୁରୀକାଳୀନ ଅନୁମତି ମାଗିଥିବା ୩ଟି ଟିକା ପାଇଁ ଖୁବଶୀଘ୍ର ଆସୁଛି ଖୁସି ଖବର । ନୀତି ଆୟୋଗ ସଦସ୍ୟ ଡକ୍ଟର ଭି.କେ ପଲ କହିଛନ୍ତି, ଲାଇସେନ୍ସ ପ୍ରଦାନ କରିବା ପାଇଁ ଅନୁମତି ମାଗିଥିବା ୩ଟି ଟିକା ନେଇ ଏବେ ବିଚାରବିମର୍ଶ ଚାଲିଛି । ସସସ୍ତଙ୍କୁ କିମ୍ବା ଯେ କୌଣସି ଗୋଟିଏ ଟିକାକୁ ଖୂବଶୀଘ୍ର ଅନୁମତି ମିଳିପାରେ ।

ଅନ୍ୟପକ୍ଷରେ ଭାରତରେ କିପରି ଟିକାର ବଂଟନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରାଯାଇପାରିବ ସେନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସମଗ୍ର ଦେଶରେ ସ୍ୱାସ୍ଥ୍ୟ କର୍ମୀମାନଙ୍କ ଏକ ଡାଟାବେସ ପ୍ରସ୍ତୁତ କରାଯାଉଛି । କୋ-ୱିନ ସଫ୍ଟୱେୟାରରେ ଏସମସ୍ତ ଡାଟାବେସ୍ ଅପଲୋଡ କରାଯିବ । ଏହି ଡାଟାବେସକୁ ତନ୍ନ ତନ୍ନ କରି ଯାଂଚ କରାଯିବ । କେବଳ ଏତିକି ନୁହେଁ, ବର୍ତମାନ ଦେଶରେ ପ୍ରସ୍ତୁତ ହୋଇରହିଥିବା କୋଲଡ ଚେନ୍, ପ୍ରଥମ ୩କୋଟି ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ କୋଭିଡ-୧୯ ଟିକାକୁ ସଂରକ୍ଷିତ ରଖିପାରିବାର କ୍ଷମତା ବହନ କରୁଛି ବୋଲି କହିଛନ୍ତି ରାଜେଶ ଭୂଷଣ ।