ଆଜି ଟିକା ପାଇଁ ଖୋଲିବ ଗ୍ଲୋବାଲ ଟେଣ୍ଡର : ୨୦ ତାରିଖରୁ ଆରମ୍ଭ ହୋଇଥିଲା ଅନଲାଇନ ଟେଣ୍ଡର ପ୍ରକ୍ରିୟା 

245

କନକ ବ୍ୟୁରୋ : ଆଜି ଟିକା ପାଇଁ ରାଜ୍ୟ ସରକାର କରିଥିବା ଗ୍ଲୋବାଲ ଟେଣ୍ଡର ଖୋଲାଯିବ । ସଂଧ୍ୟା ୫ଟା ରେ ଗ୍ଲୋବାଲ୍ ଟେଣ୍ଡର ଖୋଲାଯିବା କାର୍ଯ୍ୟକ୍ରମ ରହିଛି । ରାଜ୍ୟରେ ଟିକା ଅଭାବକୁ ଦୂର କରିବା ପାଇଁ ଏପରି ଉଦ୍ୟମ କରିଛନ୍ତି ରାଜ୍ୟ ସରକାର । ଗ୍ଲୋବାଲ ଟେଣ୍ଡର ଜରିଆରେ ୩ କୋଟି ୮୦ ଲକ୍ଷ ଟିକା କିଣିବାକୁ ଲକ୍ଷ୍ୟ ରଖାଯାଇଛି । ୨୦ ତାରିଖରେ ଅନ୍ଲାଇନ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଯେଉଁ ଫାର୍ମା କଂପାନୀ ଟେଣ୍ଡର ପାଇବ, ୪ ମାସ ଭିତରେ ଟିକା ଯୋଗାଇବାକୁ ପଡ଼ିବ ।

ଏହି ଟେଣ୍ଡରର ଅବଧି ୬ ମାସ ରହିଛି । ଯେଉଁ ଟିକା ୨ରୁ ୮ ଡିଗ୍ରୀ ସେଲସିୟସ ତାପମାତ୍ରା ଭିତରେ ସଂରକ୍ଷିତ ରହିପାରୁଥିବ, ସେହି ଟିକା ନିର୍ମାତାମାନେ ଟେଣ୍ଡରରେ ଭାଗ ନେଇପାରିବେ ବୋଲି ପ୍ରଥମେ କୁହାଯାଇଥିଲା । ପରେ ଏହି ସର୍ତ ସହ ଆଉ କିଛି ସର୍ତକୁ କୋହଳ କରିଥିଲେ ସରକାର । ତେବେ ଟେଣ୍ଡର ଖୋଲିଲା ପରେ ଜଣାପଡିବ, ଟିକା ଦେବା ପାଇଁ କେଉଁ କେଉଁ କଂପାନୀ ଆଗ୍ରହ ଦେଖାଇଛନ୍ତି । ଏବଂ ଗ୍ଲୋବାଲ ଟେଣ୍ଡର ଜରିଆରେ ଟିକା ଅଭାବକୁ ଦୂର କରିବା ପାଇଁ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି, ସେଥିରେ ସଫଳ ହୋଇ ପାରୁଛନ୍ତି କି ନାହିଁ ।