ଆହୁରି ବ୍ୟାପକ ହେବ ଟିକାକରଣ : ଟିକା ଉତ୍ପାଦନ ବଢାଇବାକୁ ସିରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକକୁ ୪୫ଶହ କୋଟିର ରୁଣ ଦେବେ କେନ୍ଦ୍ର ସରକାର

85

କନକ ବ୍ୟୁରୋ : କୋଭିଡ ଲଢେଇ ହେବ ଜୋରଦାର । ଏନେଇ କେନ୍ଦ୍ର ସରକାର ବଡ ନିଷ୍ପତି ନେଇଛନ୍ତି । ମେ ପହିଲାରୁ ୧୮ ବର୍ଷରୁ ଅଧିକ ବୟସର ଲୋକେ କୋଭିଡ ଟିକା ନେଇପାରିବେ । ମୋଦିଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏହି ନିଷ୍ପତି ସମ୍ପର୍କରେ ଘୋଷଣା କରାଯାଇଛି । ମୋଦି କହିଛନ୍ତି, ଅଧିକରୁ ଅଧିକ ଲୋକଙ୍କୁ କରୋନା ଟିକା ଦେବାକୁ ଉଦ୍ୟମ କରାଯାଉଛି । ଟିକାକରଣ ଗତିକୁ ଆହୁରି ବଢାଯିବ ।

୧୮ବର୍ଷରୁ ଅଧିକ ଲୋକଙ୍କୁ କରୋନା ଟିକା ଦିଆଯିବା ନେଇ ଖୁବଶୀଘ୍ର ଏକ ପ୍ରୋଟକଲ ଜାରି କରାଯିବ । ପୂର୍ବରୁ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ କରୋନା ଟିକା ନେବା ପାଇଁ ଅନୁମତି ଦିଆଯାଇଥିଲା । ଏହାଛଡା ୫୦ ପ୍ରତିଶତ ଟିକାକୁ ରାଜ୍ୟ ସରକାର କିମ୍ବା ଖୋଲା ବଜାରରେ ବିକିପାରିବେ ଟିକା ନିର୍ମାତା । ପ୍ରଥମ ପର୍ଯ୍ୟାୟରେ ସମ୍ମୁଖ ଯୋଦ୍ଧା ଓ ବରିଷ୍ଠ ନାଗରିକଙ୍କୁ ଟିକା ଦେବାକୁ ସରକାର ଅନୁମତି ଦେଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକା ଦେବାକୁ ଅନୁମତି ମିଳିଥିଲା । ଏବେ ତୃତୀୟ ପର୍ଯ୍ୟାୟରେ ୧୮ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକା ଦିଆଯିବ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଦୀର୍ଘ ୯୨ ଦିନ ଧରି ଚାଲିଥିବା ଟିକାକରଣ ଅଭିଯାନରେ ୧୨ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇସାରିଲାଣି । ଦେଶରେ ବର୍ତମାନ କୋଭାକ୍ସିନ ଓ କୋଭିସିଲ୍ଡ ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି । କିଛିଦିନ ତଳେ ଋଷର ଟିକା ‘ସ୍ପୁଟନିକ-ଭି’କୁ ମଧ୍ୟ ଅନୁମତି ଦେଇଛନ୍ତି ଭାରତ ସରକାର ।