ଆସୁଛି କରୋନା କବଚ ! ପି-ଫାଇଜର ପ୍ରସ୍ତୁତ କରୁଛି କରୋନା ଟୀକା । ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ଦେଖାଉଛି ୯୦ ପ୍ରତିଶତ ପ୍ରଭାବ ।

1,183

କନକ ବ୍ୟୁରୋ: କୋଭିଡ୍ ଭ୍ୟାକସିନକୁ ନେଇ ସାରା ବିଶ୍ୱ ଚାହିଁ ରହିଥିବାବେଳେ ଆସିଛି ଭଲ ଖବର । ପିଫାଇଜର ଓ ବାଇଓ-ଏନ-ଟେକ୍ ଦ୍ୱାରା ମିଳିତ ଭାବେ ପ୍ରସ୍ତୁତ ଟୀକା କରୋନା ରୋକିବାରେ ୯୦ ପ୍ରତିଶତ ପ୍ରଭାବି ବୋଲି ନିର୍ମାତାଙ୍କ ପକ୍ଷରୁ କୁହାଯାଇଛି ।

ତେବେ ଏହି କୋଭିଡ୍ ଟୀକାର ଏବେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଜାରି ରହିଛି । ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣରୁ ଏହି ତଥ୍ୟ ସାମନାକୁ ଆସିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ଟୀକାର ପ୍ରଥମ ଡୋଜ୍ ଦେବାର ୨୮ ଦିନରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଛି ଓ ଦ୍ୱିତୀୟ ଡୋଜ୍ ଦେବାର ୭ ଦିନ ମଧ୍ୟରେ ରୋଗୀକୁ ସୁରକ୍ଷା ଦେଉଛି ବୋଲି ଦାବି କରିଛି କମ୍ପାନୀ ।

ପି – ଫାଇଜରର ସିଇଓ ଆଲବର୍ଟ କହିଛନ୍ତି, ତାଙ୍କ କମ୍ପାନୀ ଦ୍ୱାରା ବିକଶିତ କରାଯାଇଥିବା ଟିକାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣରୁ ସ୍ପଷ୍ଟ ହୋଇଛି ଯେ ଏହା କୋଭିଡ-୧୯ ମୁକାବିଲା ପାଇଁ କେତେ ସକ୍ଷମ । ଏଥିସହ ଖୁବ୍ ଶୀଘ୍ର ବିଶ୍ୱରେ ଦେଖା ଦେଇଥିବା ସ୍ୱାସ୍ଥ୍ୟ ସମସ୍ୟାକୁ ଶେଷ କରିବାରେ ନିକଟତର ହେବେ ବୋଲି ଆଶା ପ୍ରକଟ କରିଛନ୍ତି । ଏହି କମ୍ପାନୀ ୨୦୨୦ରେ ୫୦ ମିଲିୟନ ଡୋଜ୍ ଓ ୨୦୨୧ରେ ୧.୩ ବିଲିୟନ ଡୋଜ୍ ଯୋଗାଇ ପାରିବ ବୋଲି ସେ ଆକଳନ କରିଛନ୍ତି ।