କେନ୍ଦ୍ର ସରକାର ଜାରୀକଲେ ନିର୍ଦ୍ଦେଶନାମା । କରୋନା ସଂକ୍ରମଣରୁ ସୁସ୍ଥ ହେବାର ୩ ମାସ ପରେ ନେଇପାରିବେ କୋଭିଡ-୧୯ ଟିକା

285

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣରୁ ସୁସ୍ଥ ହେବାର ୩ ମାସ ପରେ କୋଭିଡ-୧୯ ଟିକା ନେଇପାରିବେ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରୀ କରାଯାଇଛି । ଏନେଇ କେନ୍ଦ୍ର ସରକାରଙ୍କ ପରାମର୍ଶଦାତା କମିଟି ଏକ ପରାମର୍ଶ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଦେଇଥିଲା । ଏହାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗ୍ରହଣ କରିଛି । ଏଥିରେ କୁହାଯାଇଛି କି ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହେବାର ୩ ମାସ ପରେ ଟିକା ନେଇପାରିବ ।

ଏହା ବ୍ୟତୀତ ଜାରୀ ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି କି, ଜଣେ ବ୍ୟକ୍ତି ଟିକା ନେବା ପୂର୍ବରୁ ତା’ର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟର ଆବଶ୍ୟକତା ନାହିଁ । ଯଦି କୌଣସି ବ୍ୟକ୍ତି ଟିକାର ପ୍ରଥମ ଖୋରାକ ନେବା ପରେ କରୋନାରେ ସଂକ୍ରମିତ ହେଉଛନ୍ତି ତେବେ ସେ ସୁସ୍ଥ ହେବାର ୩ ମାସ ପରେ ଟିକା ନେବା ଉଚିତ ବୋଲି ନିର୍ଦ୍ଦେଶରେ କୁହାଯାଇଛି ।
ଅନ୍ୟପଟେ ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ଟିକା ଦେବା ନେଇ ଥିବା ସନ୍ଦେହ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦୂର କରିଛି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳା ମାନେ ସୁସ୍ଥ ଥିଲେ କୌଣସି ବି ସମୟରେ ଟିକା ନେଇପାରିବେ ।