ଦୁଇ ଦିନର ସଟଡାଉନ ପରେ ଆଜି ସକାଳୁ ଟିକାକେନ୍ଦ୍ର ଆଗରେ ପ୍ରବଳ ଭିଡ : ୧୮ରୁ ୪୪ ବର୍ଷ ବୟସ୍କଙ୍କ ମଧ୍ୟରେ ଟିକା ନେବାକୁ ଆଗ୍ରହ

ମେ ପହିଲାରୁ ସାରା ଦେଶରେ ଆରମ୍ଭ ହୋଇଛି ସମସ୍ତ ସାବାଳକଙ୍କ ଟିକାକରଣ

280

କନକ ବ୍ୟୁରୋ : ରାଜଧାନୀରେ ଆଜିଠୁ ସାବାଳକଙ୍କୁ ଟିକାକରଣ ଅଭିଯାନ ଜୋରଦାର ହୋଇଛି । ୧୮ବର୍ଷରୁ ଅଧିକ ଓ ୪୪ ବର୍ଷରୁ କମ ବୟସର ନାଗରିକଙ୍କୁ ଟିକା ଦେବା ନେଇ ବିଏମସି ପକ୍ଷରୁ ପ୍ରସ୍ତୁତି କରାଯାଇଛି । ସକାଳ ୮ଟାରୁ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଏହା ଅପରାହ୍ନ ୧ଟା ଯାଏଁ ଚାଲିବ । ଅପରାହ୍ନ ୩ଟାରୁ ୬ଟା ଯାଏଁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଛି । ଦୁଇ ଦିନର ସଟଡାଉନ ପରେ ଆଜି ସକାଳୁ ଟିକାକେନ୍ଦ୍ର ଆଗରେ ପ୍ରବଳ ଭିଡ ଦେଖିବାକୁ ମିଳିଛି ।

୧୮ରୁ ୪୪ ବର୍ଷ ବୟସ୍କ ଯେଉଁମାନେ କୋୱିନ ଆପରେ ପଞ୍ଜିକରଣ କରିଛନ୍ତି, ଟିକା ନେବାକୁ ସ୍ଲଟ ପାଇଛନ୍ତି । ସେଇମାନେ ହିଁ ଟିକା ନେବାକୁ ସୁଯୋଗ ପାଇବେ । ରାଜଧାନୀରେ ଟିକାକରଣ ପାଇଁ ୨୬ କେନ୍ଦ୍ରରେ ବ୍ୟବସ୍ଥା କରାଯାଇଛି । ପ୍ରତି ସ୍ୱାସ୍ଥ୍ୟକେନ୍ଦ୍ରରେ ୨ଶହ ଜଣଙ୍କୁ ଟିକା ଦେବା ପାଇଁ ବ୍ୟବସ୍ଥା ହୋଇଛି । ଯେଉଁ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଯେଉଁମାନେ ନାମ ପଞ୍ଜିକରଣ କରିଛନ୍ତି,କେବଳ ସେଠାକୁ ଯିବାକୁ ବିଏମସି ପକ୍ଷରୁ କୁହାଯାଇଛି । ଟିକା ନେବାକୁ ଆଧାରକାର୍ଡ ଓ ମୋବାଇଲ ନମ୍ବର ବାଧ୍ୟତାମୂଳକ କରାଯାଇଛି ।

ବିିଏମସି ସୂଚନା ଅନୁସାରେ ରାଜଧାନୀରେ କ୍ୟାପିଟାଲ ହସ୍ପିଟାଲ, ଏମ୍ସ, ସେନଟ୍ରାଲ ରେଲୱେ ହସ୍ପିଟାଲ ସମେତ ସମସ୍ତ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଶାଇ ୨୬ଟି ସ୍ଥାନରେ ଟିକା ଦେବାକୁ ବ୍ୟବସ୍ଥା ହୋଇଛି । ଲକଡାଉନରେ ମଧ୍ୟ ଟିକାକରଣ ଜାରି ରହିବ, ତେଣୁ ବ୍ୟସ୍ତ ନହୋଇ ନିଜ ପାଳି ଆସିଲେ ଟିକା ନେବା ପାଇଁ ଆସନ୍ତୁ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।