କୋଭିଡ୍ ଟିକା ନେବା ପାଇଁ ଆଗ୍ରହ ଦେଖାଉଛି ଓଡ଼ିଶା । ପୂରା ଦମରେ ଚାଲିଛି ଟିକାକରଣ, ଏଯାଏଁ ଦେଖାଦେଇନି ଗୁରୁତର ପାଶ୍ୱର୍ ପ୍ରତିକ୍ରିୟା ।

194

କନକ ବ୍ୟୁରୋ : ଓଡିଶାରେ ସ୍ୱାଭାବିକ ଭାବେ ଚାଲିଛି କରୋନା ଟିକାକରଣ । ଆଶ୍ୱସ୍ତିକର କଥା ହେଉଛି, ଟିକା ନେଉଥିବା ବ୍ୟକ୍ତିଙ୍କ ଠାରେ କୌଣସି ପ୍ରତିକ୍ରିୟା ପ୍ରକାଶ ପାଉ ନାହିଁ । ସେପଟେ କୋଭାକସିନ ଟିକା କେଉଁମାନେ ନେବେ ନାହିଁ ସେନେଇ ଗାଇଡଲାଇନ୍ ଦେଇଛି ଭାରତ ବାୟୋଟେକ୍ । ଆଜି ଦ୍ୱିତୀୟ ଦଫାରେ ରାଜ୍ୟକୁ ୩ ଲକ୍ଷ ୩୪ ହଜାର ୫୩୪ ଡୋଜ୍ କୋଭିସିଲ୍ଡ ଟିକା ଆସିଛି । ବିନାବାଧାରେ ରାଜ୍ୟରେ ଟିକାକରଣ ଚାଲୁଥିବାରୁ ଧାର୍ଯ୍ୟ ସମୟ ଭିତରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଶେଷ ହେବ ବୋଲି ଆଶା କରାଯାଉଛି ।

ଭୁବନେଶ୍ୱରରେ ପହଞ୍ଚିଲା ଦ୍ୱିତୀୟ ଦଫାର ୩ଲକ୍ଷ ୩୪ହଜାର ୫ଶହ୩୪ ଡୋଜ କୋଭିସିଲଡ ଟିକା । କାରଣ ଓଡିଶାରେ ଟିକାକରଣ ପୁରା ଦମରେ ଚାଲିଛି । ଶନିବାର ଧାର୍ଯ୍ୟ ଲକ୍ଷ୍ୟର ୮୫ ପ୍ରତିଶତ ଲୋକଙ୍କୁ ଟିକା ଦିଆଯାଇଥିବା ବେଳେ ସୋମବାର ଦ୍ୱିତୀୟ ଦିନରେ ୩୨ହଜାର ୫୨୬ ଲୋକଙ୍କୁ ଟିକା ଦିଆଯାଇଥିଲା । ଆଉ ତୃତୀୟ ଦିନରେ ବି ଆଶାନୁରୂପ ଭାବେ ଟିକାକରଣ ହେବା ଫଳରେ ଓଡିଶାରେ ଟାର୍ଗେଟ୍ ଧାର୍ଯ୍ୟ ସମୟରେ ପୂରଣ ହୋଇପାରିବ ବୋଲି ଆଶା କରାଯାଉଛି ।

ସେପଟେ ଆଉ ଏକ ଭଲ ଖବର ହେଉଛି, ଓଡିଶାରେ ଟିକା ନେଇଥିବା ବ୍ୟକ୍ତିଙ୍କ ଠାରେ ଏ ପର୍ଯ୍ୟନ୍ତ ଗୁରୁତର ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଇନାହିଁ । ଅନ୍ୟପଟେ କୋଭାକସିନ ଟିକା କେଉଁମାନେ ନେବେ ନାହିଁ ସେନେଇ ଗାଇଡଲାଇନ୍ ଦେଇଛି ଭାରତ ବାୟୋଟେକ୍ । ଏହି ସବୁ ଲକ୍ଷଣ ଥିଲେ ଟିକା ନେବାକୁ ମନା କରାଯାଇଛି ।

-ଗୋଟିଏ ରୋଗରେ ଦୀର୍ଘଦିନ ଧରି ପୀଡିତ ରହିବା
-ଶରୀରରେ ଆଲର୍ଜି ରହିବା
-ଜ୍ୱର ରହିବା
-ୠତୁସ୍ରାବରେ ଅନିୟମିତତା
-ଗର୍ଭବତୀ ମହିଳା
-ଛୁଆକୁ କ୍ଷୀର ଦେଉଥିବା ମାଆ
-ଅନ୍ୟ କୌଣସି କୋଭିଡ୍ ଟିକା ନେଇଥିବା ବ୍ୟକ୍ତି

ଓଡିଶାରେ ପ୍ରଥମ ପର୍ଯ୍ୟାୟରେ ୩ଲକ୍ଷ ୩୮ହଜାର ୭୭୭ ଜଣଙ୍କୁ ଟିକା ଦେବାକୁ ଧାର୍ଯ୍ୟ କରାଯାଇଛି । ମଙ୍ଗଳବାର ଦ୍ୱିତୀୟ ଦଫା ଟିକା ଆସିବା ପରେ ଏହି ସଂଖ୍ୟାର ଲୋକଙ୍କୁ ୨ଟି ଡୋଜ ଟିକା ଦେବା ପ୍ରକ୍ରିୟା ଶେଷ ହୋଇପାରିବ ।