ଭୁବନେଶ୍ୱରରେ ୬ଟି ସ୍ଥାନରେ ଟିକାକରଣ: ଟିକାକରଣ କେନ୍ଦ୍ର ଭାବେ ସାମିଲ ହେଲା ଏମ୍ସ; ପ୍ରତି କେନ୍ଦ୍ରରେ ଦୈନିକ ୧୦୦ଜଣଙ୍କୁ ଦିଆଯିବ ଟିକା

ଭୁବନେଶ୍ୱରରେ ଟିକାକରଣ ନେଇ ବିଏମସି କମିଶନରଙ୍କ ସୂଚନା

99

କନକ ବ୍ୟୁରୋ: ଆସନ୍ତାକାଲି ରାଜ୍ୟର ୧୬୧ଟି ଟିକାକରଣ କେନ୍ଦ୍ରରେ ଟିକା ଦିଆଯିବ । ଏଥିପାଇଁ ରାଜ୍ୟସରକାର ସବୁ ପ୍ରସ୍ତୁତି ସାରିଛନ୍ତି । ତେବେ କେଉଁମାନଙ୍କୁ କରୋନା ଟିକା ଦିଆଯିବ, କେଉଁମାନଙ୍କୁ ଦିଆଯିବ ନାହିଁ । ତାକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ରହିଛି । ତେବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦେଶକ ଏନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଗର୍ଭବତୀ ମହିଳା, ଗୁରୁତର ଅସୁସ୍ଥ ବ୍ୟକ୍ତି, ମେଡିକାଲରେ ଭର୍ତି ହୋଇଥିବା ରୋଗୀ, ୧୪ ଦିନ ଭିତରେ କୌଣସି ଟିକା ନେଇଥିଲେ ତାଙ୍କୁ କରୋନା ଟିକା ଦିଆଯିବ ନାହିଁ ।

ଆସନ୍ତାକାଲି ଦେଶବ୍ୟାପୀ ହେବ ପ୍ରଥମ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟକ୍ରମ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ରହିଛି ଦୁଇଟି ଟିକା । ସେରମ ଇନଷ୍ଟିଚୁଟର କୋଭିସିଲଡ ଏବଂ ଭାରତ ବାୟୋଟେକର କୋଭାକ୍ସିନ୍ । କୋଭିସିଲଡ୍ ର ୪ ଲକ୍ଷ ୮ ହଜାର ଡୋଜ୍ ଏବଂ କୋଭାକ୍ସିନର ୨୦ ହଜାର ଡୋଜ୍ ଆସିଛି ରାଜ୍ୟକୁ । ରାଜ୍ୟର ସବୁ ଜିଲ୍ଲା ସମେତ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ, ରାଉରକେଲା ଆଇଜିଏଚ ହସ୍ପିଟାଲକୁ ମିଶାଇ ମୋଟ୍ ୩୨ଟି କେନ୍ଦ୍ରକୁ ଟିକା ପଠାଯାଇଛି । ରାଜ୍ୟରେ ମୋଟ୍ ୧୬୦ ଟିକାକରଣ କେନ୍ଦ୍ରରେ ହେବ କରୋନା ଟିକାକରଣ । ଭୁବନେଶ୍ୱରରେ କେବଳ କୋଭାକ୍ସିନ ଟିକା ଦିଆଯିବ । ଅନ୍ୟ ସବୁଠାରେ କୋଭିସିଲଡ୍ ଟିକା ଦିଆଯିବ । ରାଜଧାନୀରେ ମୋଟ୍ ୫ଟି ଟିକାକରଣ କେନ୍ଦ୍ର କରାଯାଇଥିଲା । ତେବେ ଏମସକୁ ମିଶାଇ ଏହି ଟିକାକରଣ କେନ୍ଦ୍ର ସଂଖ୍ୟା ୬କୁ ବୃଦ୍ଧି ହୋଇଛି । ଭୁବନେଶ୍ୱରରେ ଦୈନିକ ଶହେଜଣଙ୍କୁ ଦିଆଯିବ କରୋନା ଟିକା । ରାଜଧାନୀରେ ପ୍ରଥମ ପର୍ଯ୍ୟାୟରେ ମୋଟ୍ ୨୬ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ପଂଜିକୃତ କରାଯାଇଛି । ୯ ହଜାର ଲୋକଙ୍କୁ ଏଠାରେ ପ୍ରଥମ ପ ର୍ଯ୍ୟାୟରେ ଟିକାକରଣ କରାଯିବ । ୨୮ ଦିନ ପରେ ସେମାନଙ୍କୁ ଦିଆଯିବ ଦ୍ୱିତୀୟ ଡୋଜ୍ । ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ।

ଆସନ୍ତାକାଲି ଠାରୁ କୋରନା ମହାମାରୀ ବିରୋଧରେ ମହାଲଢେଇ । ସାରାଦେଶରେ ଆରମ୍ଭ ହେବ ବହୁ ପ୍ରତିକ୍ଷୀତ କରୋନା ଟିକାକରଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଦେଶରେ ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ସେହିପରି ରାଜ୍ୟରେ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସୁନ୍ଦରଗଡ ଜିଲ୍ଲାରେ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ଜିଲ୍ଲାକୁ ୧୧ ହଜାର ୫୦ ଡୋଜ ଟିକା ଆସିଛି । ମୋଟ ୮ଟି ଟିକାକରଣ କେନ୍ଦ୍ରକୁ ପ୍ରସ୍ତୁତ କରାଯାଇଛି । ରାଉରକେଲା ସରକାରୀ ହସ୍ପିଟାଲ, ଘରୋଇ ଜେ.ପି ହସ୍ପିଟାଲ ଓ କୋଏଲନଗର ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ସୁନ୍ଦରଗଡର ୩ଟି ଡାକ୍ତରଖାନାରେ ଟିକା ଦେବାକୁ ବ୍ୟବସ୍ଥା କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମଙ୍ଗଳପୁର ସିଏଚସି. ବଣାଇ ସିଏଚସିକୁ ଟିକାକରଣ କେନ୍ଦ୍ର କରିଛନ୍ତି ଜିଲ୍ଲା ପ୍ରଶାସନ । ସାରା ଜିଲ୍ଲାରେ କିଭଳି ତାର ପ୍ରସ୍ତୁତି କରାଯାଇଛି ତାର ସମୀକ୍ଷା କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନୀଲ ନାରଭଣେ ଓ ସୁନ୍ଦରଗଡ ସିଡିଏମଓ ଡାକ୍ତର ସରୋଜ କୁମାର ମିଶ୍ର ।