ଭାରତରୁ ଆମେରିକାକୁ ପ୍ରବେଶ ଉପରେ କଟକଣା : କରୋନାର ନୂଆ ପ୍ରଜାତିର ସଂକ୍ରମଣକୁ ରୋକିବା ପାଇଁ ପଦକ୍ଷେପ

ସେପଟେ ଅଷ୍ଟ୍ରେଲିଆରେ ଆହୁରି କଠୋର ହେଲା କଟକଣା, ଭାରତରୁ ଅଷ୍ଟ୍ରେଲିଆ ନାଗରିକଙ୍କ ଫେରିବା ବ୍ୟାନ୍; କଟକଣା ନମାନିଲେ ଫାଇନ କିମ୍ବା ଜେଲ

209

କନକ ବ୍ୟୁରୋ : ମଙ୍ଗଳବାର ମଧ୍ୟ ରାତ୍ରୀରୁ ଭାରତରୁ ଆମେରିକାକୁ ପ୍ରବେଶ ଉପରେ କଟକଣା । ଭାରତରେ ଦେଖା ଦେଇଥିବା କରୋନାର ନୂଆ ପ୍ରଜାତିର ସଂକ୍ରମଣରୁ ରୋକିବା ପାଇଁ ଏଭଳି ପଦକ୍ଷେପ ଘୋଷଣା କରିଛନ୍ତି ବାଇଡେନ୍ ସରକାର । ଆମେରିକା ସେଂଟର ଫର ଡିଜିଜ କଂଟ୍ରୋଲ ଆଣ୍ଡ ପ୍ରିଭେନସନର ପରାମର୍ଶରେ ଏହି କଟକଣା ଜାରି କରାଯାଇଥିବା ହ୍ୱାଇଟ ହାଉସ କହିଛି ।

ତେବେ ଏହି କଟକଣା ଆମେରିକା ନାଗରିକଙ୍କ ଉପରେ ଲାଗୁ ହେବନାହିଁ । ଅର୍ଥାତ ଭାରତରେ ଥିବା ଆମେରିକୀୟ ସ୍ୱଦେଶ ଫେରିପାରିବେ । ଭାରତରେ କରୋନା ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣକୁ ଦେଖି କିଛିଦିନ ତଳେ ଆମେରିକୀୟମାନେ ଭାରତ ଛାଡିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲା ୱାସିଂଟନ୍ । ପୂର୍ବରୁ ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ଇଂଲଣ୍ଡ, ଆୟାରଲ୍ୟାଣ୍ଡ, ଚୀନ ଓ ଇରାନ ଭଳି ଦେଶରୁ ଆମେରିକା ପ୍ରବେଶ ଉପରେ ସମାନଧରଣର କଟକଣା ଲଗାଯାଇଥିଲା ।

ସେପଟେ ଆଉଟିକେ କଠୋର ହୋଇଛନ୍ତି ଅଷ୍ଟ୍ରେଲିଆ ସରକାର । ଗତ ୧୪ ଦିନ ଭିତରେ ଭାରତ ଆସିଥିବା ଅଷ୍ଟ୍ରେଲିଆ ନାଗରିକ ସ୍ୱଦେଶ ଫେରିବାକୁ ଚାହିଁଲେ ଫେରିପାରିବେ ନାହିଁ ବୋଲି କୁହାଯାଇଛି । ଏପରିକି ସରକାରୀ ନିର୍ଦ୍ଦେଶକୁ ଅମାନ୍ୟ କଲେ କାର୍ଯ୍ୟାନୁଷ୍ଠାନ ହେବ । ସେମାନଙ୍କୁ ଜୋରିମାନା କରାଯିବ କିମ୍ବା ଜେଲ ମଧ୍ୟ ହୋଇପାରେ । ଭାରତରେ କରୋନାର ଦ୍ରୁତ ସଂକ୍ରମଣକୁ ଦେଖି ଅଷ୍ଟ୍ରେଲିଆ ସରକାର ଆଗାମୀ ସୋମବାରଠାରୁ ଏହି କଡା କଟକଣା ଘୋଷଣା କରିଛନ୍ତି ।