କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ହାର କିଛିମାତ୍ରାରେ କମ ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟର ସଂଯୁକ୍ତ ସଚିବ ଲବ ଅଗ୍ରୱାଲ କହିଛନ୍ତି କି କିଛିଦିନ ହେବ ଦେଶର ଦୈନିକ ସଂକ୍ରମଣ ହାର କମିଛି । ସ୍ୱାସ୍ଥ୍ୟମନ୍ତ୍ରଣାଳୟର ସୂଚନା ମୁତାବକ ଏବେ ଦେଶରେ ୧୫ ଲକ୍ଷ ୩୩ ହଜାର ଆକ୍ଟିଭ ମାମଲା ରହିଛି । ଗତ ସପ୍ତାହର ରିପୋର୍ଟ ମୁତାବକ ଏବେ ପଜିଟିଭ ହାର ୧୨.୯୮ ପ୍ରତିଶତ ରହିଛି । ଏହା ୮ ଟି ରାଜ୍ୟକୁ ନେଇ ଚିନ୍ତା ପ୍ରକଟ କରିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ମନ୍ତ୍ରଣାଳୟର ସୂଚନା ମୁତାବକ ୮ ଟି ରାଜ୍ୟରେ ୫୦ ହଜାର ଉପରେ ଆକ୍ଟିଭ ମାମଲା ରହିଛି ।

Advertisment

ଅନ୍ୟପଟେ ଟିକାକୁ ନେଇ ସଂଯୁକ୍ତ ସଚିବ ଲବ ଅଗ୍ରୱାଲ କହିଛନ୍ତି କି, ଏପର୍ଯ୍ୟନ୍ତ ଦେଶରେ ମୋଟ ୧୬୭.୮୮ କୋଟି ଖୋରାକ ଟିକା ଦିଆଯାଇଛି । ୧୮ ବର୍ଷରୁ ଅଧିକ ୯୬ ପ୍ରତିଶତ ଲୋକଙ୍କୁ ଟିକାର ପ୍ରଥମ ଖୋରାକ ଦିଆଯାଇଥିବା କଥା ସେ କହିଛନ୍ତି । ସେହିଭଳି ୭୬ ପ୍ରତିଶତ ଯୋଗ୍ୟ ଲୋକଙ୍କୁ ଟିକାର ଉଭୟ ଖୋରାକ ଦିଆଯାଇଛି । ଅନ୍ୟପଟେ ୧୫-୧୮ ବର୍ଷ ମଧ୍ୟରେ ୬୫ ପ୍ରତିଶତ କିଶୋର କିଶୋରୀଙ୍କୁ ଟିକା ଦିଆଯାଇଥିବା କଥା ସେ କହିଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରଣାଳୟର ସୂଚନା ମୁତାବକ ୧୬ ଟି ରାଜ୍ୟରେ ୧୦୦ ପ୍ରତିଶତ ଲୋକଙ୍କୁ ଟିକାର ପ୍ରଥମ ଡୋଜ ଦିଆଯାଇଛି ଓ ୪ ଟି ରାଜ୍ୟରେ ୯୬-୯୯ ପ୍ରତିଶତ ଲୋକଙ୍କୁ ଟିକାର ପ୍ର୍ରଥମ ଖୋରାକ ଦିଆଯାଇଛି ।