ରାଜ୍ୟସଭାରେ ବୈଦେଶିକ ମନ୍ତ୍ରଣାଳୟର ସୂଚନା । କରୋନା ସଂକ୍ରମଣରେ ବିଦେଶରେ ୩୫୭୦ ଭାରତୀୟଙ୍କ ମୃତ୍ୟୁ

168

କନକ ବ୍ୟୁରୋ : ରାଜ୍ୟସଭାରେ ଆଜି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି । ବିଦେଶ ମନ୍ତ୍ରଣାଳୟର ସୂଚନା ମୁତାବକ ବିଦେଶରେ ରହୁଥିବା ଭାରତୀୟଙ୍କ ମଧ୍ୟରୁ କରୋନା ସଂକ୍ରମଣରେ ୩୫୭୦ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ବିଶ୍ୱର ସବୁଦେଶ ସାମିଲ ଅଛି (ଯେଉଁ ଯେଉଁ ଦେଶରେ ଭାରତୀୟ ନାଗରିକ ମାନେ ରହୁଛନ୍ତି) । ବିଦେଶ ମନ୍ତ୍ରଣାଳୟ କହିଛି କି ଏହି ସୂଚନା ‘ମିଶନ କେନ୍ଦ୍ର’ ଦ୍ୱାରା ଉପଲବ୍ଧ ହୋଇଛି ।

ଜାତୀୟ ଗଣମାଧ୍ୟମ ଅନୁସାରେ ସାରା ବିଶ୍ୱରେ କରୋନା ସଂକ୍ରମଣର ଭୟାବହତା ଦେଖିବାକୁ ମିଳିଛି । ଏହା ଫଳରେ ଭାରତରେ ୪ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଏବେ ବି ଦୈନିକ ପାଖା ପାଖି ୧ ହଜାର ଲୋକଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହେଉଛି । ଅନ୍ୟପଟେ କରୋନାର ତୃତୀୟ ଲହର ଆସୁଥିବା ନେଇ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି । ଗୋଟିଏ ସପ୍ତାହ ମଧ୍ୟରେ ପୁଣି ଦେଶର ୧୩ ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ସତର୍କ ସୂଚନା ଜାରି କରିଛନ୍ତି କେନ୍ଦ୍ର ସରକାର । ଦେଶରେ ଏବେ ସବୁଠାରୁ ଅଧିକ ସଂକ୍ରମଣ କେରଳରେ ଦେଖିବାକୁ ମିଳିଛି ।

ସେପଟେ ଦେଶରେ କରୋନା ମୃତ୍ୟୁକୁ ନେଇ ସରକାର ଓ ବିରୋଧୀ ଦଳ ମାନଙ୍କ ମଧ୍ୟରେ ତର୍କ ବିତର୍କ ଜାରି ରହିଛି । ସଂସଦର ମୌସୁମୀ ଅଧିବେଶନରେ କରୋନା କାଳରେ ଅକ୍ସିଜେନ ସଂକଟ ଯୋଗୁଁ ହୋଇଥିବା ମୃତ୍ୟୁ ମାମଲାରେ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ୨ ଦିନ ହେବ ସଂସଦର ଉଭୟ ସଦନ ଚାଲିପାରି ନାହିଁ ।