ସଂକ୍ରମଣ ହାର କମିବା ପରେ ଦେଶରେ ଆରମ୍ଭ ହେଉଛି ଅନଲକ୍ ପ୍ରକ୍ରିୟା : ଦିଲ୍ଲୀ ଓ ମହାରାଷ୍ଟ୍ରରେ ଆଜିଠାରୁ କୋହଳ ହେବ କଟକଣା

183

କନକ ବ୍ୟୁରୋ : ଦିଲ୍ଲୀ ଓ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେଉଛି । ଦିଲ୍ଲୀ ପଜିଟିଭିଟି ହାର ଏକ ପ୍ରତିଶତରୁ କମ୍ ହୋଇ ଆସିଲାଣି । ଏହାକୁ ନଜରରେ ରଖି ଦିଲ୍ଲୀ ସରକାର ଆଜିଠାରୁ ଦିଲ୍ଲୀରେ କଟକଣା କୋହଳ କରିବାକୁ ନିଷ୍ପତି ନେଇଛନ୍ତି । ଦିଲ୍ଲୀରେ ଅଡ-ଇଭନ ଫର୍ମୁଲାରେ ମଲ୍ ଓ ମାର୍କେଟ୍ ଆଦି ଖୋଲିବ ।

ଦିଲ୍ଲୀରେ ୫୦୦ ତଳକୁ ଦୈନିକ ସଂକ୍ରମଣ ଖସି ଆସିଲାଣି । ପଜିଟିଭିଟି ହାର ମଧ୍ୟ ୧ ପ୍ରତିଶତରୁ କମ୍ ସ୍ତରରେ ପହଁଚିଲାଣି । ଏହାକୁ ଦୃଷ୍ଟିରେ ରଖି ଅଡ-ଇଭନ ଫର୍ମୁଲାରେ କଟକଣାକୁ କୋହଳ କରାଯାଉଛି । ସକାଳ ୧୦ଟାରୁ ରାତି ୮ଟା ଯାଏଁ ଖୋଲିବ ଦୋକାନ ଓ ମଲ୍ । ୫୦ ପ୍ରତିିଶତ କ୍ଷମତାରେ ଚାଲିବ ମେଟ୍ରୋ ସେବା । ସମସ୍ତ ଗ୍ରୁପ୍ ୧ ସରକାରୀ ଅଫିସ ୧୦୦ କର୍ମଚାରୀଙ୍କୁ ନେଇ ଚାଲିବ । ଅନ୍ୟ ଗ୍ରୁପ୍ ସରକାରୀ ଅଫିସ ଅଧା କର୍ମଚାରୀରେ କାମ କରିବ । ସବୁ ଦିନ ଖୋଲା ରହିବ ଜରୁରୀ ସାମଗ୍ରୀ ଦୋକାନ । ଗଳିରେ ଥିବା ଦୋକାନ ଓ ଏକାକୀ ଥିବା ଦୋକାନ ସବୁଦିନ ଖୋଲିବ । ସପ୍ତାହକ ପାଇଁ ପରୀକ୍ଷାମୂଳକ ଭାବେ ଏହାକୁ ନିରୀକ୍ଷଣ କରିବେ ଦିଲ୍ଲୀ ସରକାର ।

ସେହିଭଳି ମହାରାଷ୍ଟ୍ରରେ ମଧ୍ୟ କଟକଣା କୋହଳ କରିବାକୁ ଉଦ୍ଧବ ଠାକରେଙ୍କ ସରକାର ନିଷ୍ପତି ନେଇଛନ୍ତି । ଏଥିପାଇଁ ପଂଚସୁତ୍ରୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । କୌଣସି ଅଂଚଳରେ ସଂକ୍ରମଣ ସଂଖ୍ୟା, ପଜିଟିଭିଟି ହାର, ହସ୍ପିଟାଲ ଗୁଡିକରେ ଅକ୍ସିଡେନ୍ ବେଡ ସଂଖ୍ୟା କେତେ ପୂରଣ ରହିଛି , ଏହାର ଯାଂଚ କରିବା ପରେ , କଟକଣା କୋହଳ ନେଇ ନିଆଯିବ ନିଷ୍ପତି । ସଂପୃକ୍ତ ଅଂଚଳର ପ୍ରଶାସନିକ ଅଧିକାରୀ ସେହି ଅଂଚଳର କଟକଣା କୋହଳ ନେଇ ନିଷ୍ପତି ନେବେ । ଯେଉଁ ଅଂଚଳରେ ପଜିଟିଭିଟି ହାର ୫ ପ୍ରତିଶତରୁ କମ୍ ଥିବ ଓ ଡାକ୍ତରଖାନା ଗୁଡିକରେ ୨୫ ପ୍ରତିଶତ ଅକ୍ସିଜେନ ବେଡ୍ ଭର୍ତି ହୋଇଥିବ ସେଠାରେ କଟକଣା କୋହଳ କରାଯିବ ।