କନକ ବ୍ୟୁରୋ : କରୋନାର ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର କିଭଳି ସାଂଘାତିକ ସ୍ଥିତି ସୃଷ୍ଟି କରୁଛି, ତାର କରୁଣ ଚିତ୍ରସବୁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରୁ ଆସିବାରେ ଲାଗିଛି । ହସ୍ପିଟାଲ ବେଡ୍, ଅକ୍ସିଜେନ୍ ଓ କରୋନା ଟିକା ଉପଲବ୍ଧ ଥିବା ନେଇ ସରକାରଙ୍କ ବାରମ୍ବାର ଆଶ୍ୱାସନା ସତ୍ୱେ ପ୍ରକୃତ ସ୍ଥିତି କଭିଳି ରହିଛି, ତାର ପ୍ରମାଣ ଦେଉଛି ଦିଲ୍ଲୀରେ ଥିବା ଲୋକନାୟକ ଜୟପ୍ରକାଶ ହସ୍ପିଟାଲରୁ ପ୍ରତିଦିନ ଆସୁଥିବା ଉଦବେଗଜନକ ଚିତ୍ର ।
ହସ୍ପିଟାଲ ବାହାରେ ବସିଛନ୍ତି ଜଣେ ବୃଦ୍ଧ । ମୁହଁରେ ଅକ୍ସିଜେନ୍ ମାସ୍କ ଲାଗିଛି ଓ ପାଖରେ ଥୁଆ ହୋଇଛି ଅକ୍ସିଜେନ୍ ସିଲିଣ୍ଡର । ହସ୍ପିଟାଲରେ ବେଡଟିଏ ପାଇବାକୁ ଅନାଇ ରହିଛନ୍ତି ଏହି ବୟସ୍କ ରୋଗୀ ଜଣକ । ଦିଲ୍ଲୀର ସବୁଠାରୁ ବଡ କୋଭିଡ ହସ୍ପିଟାଲ ଲୋକନାୟକ ଜୟପ୍ରକାଶ- ଏଲଏନଜେପି ହସ୍ପିଟାଲରେ ମଧ୍ୟ ଆକ୍ରାନ୍ତଙ୍କୁ ରଖି ଚିକିତ୍ସା କରିବା ପାଇଁ ହସ୍ପିଟାଲ ବେଡର ଅଭାବ ଦେଖା ଦେଲାଣି । ଯାହାହେଉ ସୌଭାଗ୍ୟରୁ ଅକ୍ସିଜେନ ସହାୟତା ମିଳିଯାଇଛି ଏହି ବୟସ୍କ ରୋଗୀଙ୍କୁ । କିଛିଦିନ ତଳେ ସେହି ଏଲଏନଜେପି ହସ୍ପିଟାଲରେ କିଭଳି ଗୋଟିଏ ବେଡରେ ଦୁଇଜଣ କରୋନା ରୋଗୀ ରହିଥିବାର ଚିତ୍ର ଦେଖିବାକୁ ମିଳିଥିଲା । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାରୁ ଏହିଭଳି ବିକଳ୍ପ ବନ୍ଦୋବସ୍ତ କରିଛନ୍ତି ହସ୍ପିଟାଲ କର୍ତୃପକ୍ଷ ।
ସେପଟେ ଗତକାଲିର ଆଉ ଏକ ଉଦବେଗଜନ ଚିତ୍ର ଦେଖିବାକୁ ମିଳିଛି । ସ୍ତ୍ରୀଙ୍କୁ ବାଇକରେ ବସାଇ ହସ୍ପିଟାଲରେ ପହଂଚିଛନ୍ତି ସ୍ୱାମୀ । ବେଡ ନଥିବା କହି ଏକାଧିକ ହସ୍ପିଟାଲ ଫେରାଇ ଦେବାପରେ ଏହିଭଳି ପହଂଚିଛନ୍ତି ଗୋଟିଏ ଦମ୍ପତି । ଅବସ୍ଥା ଗୁୁରୁତର ଥିବାରୁ ହସ୍ପିଟାଲରେ ଭର୍ତି କରି ଚିକିତ୍ସା ଆରମ୍ଭ କରିବାକୁ ଅନୁନୟ ହେଉଛନ୍ତି । ଏହି ଚିତ୍ର ହିଁ ବୟାନ କରୁଛି ଦିଲ୍ଲୀରେ ଅବସ୍ଥା କିଭଳି ସାଂଘାତିକ ହୋଇପଡିଛି ।