ଅଭିନେତା ହେବା ପାଇଁ କେନ୍ଦ୍ରାପଡାରୁ ବଲିଉଡ୍ ଯାତ୍ରା କରିଥିଲେ କାର୍ତ୍ତିକ : ବଡ଼ ବଡ଼ ଅଭିନେତାଙ୍କ ସହ କାମ ମଧ୍ୟ କରିଥିଲେ , ହେଲେ କରୋନା ଭାଙ୍ଗିଦେଲା ସ୍ୱପ୍ନ । ଏବେ ରାଜଧାନୀରେ ପରିବା ବିକୁଛନ୍ତି କେନ୍ଦ୍ରାପଡାର ଏହି କଳାକାର

506

କେନ୍ଦ୍ରାପଡାରୁ ବଲିଉଡ ଯାତ୍ରା । ଆଉ ଏବେ ପରିସ୍ଥିତିରେ ପଡି ପାଲଟିଛନ୍ତି ଜଣେ ପରିବା ବିକାଳି । ଆଉ ଗ୍ରାହକଙ୍କୁ ବିକୁଛନ୍ତି ବିଭିନ୍ନ ପ୍ରକାର ପନିପରିବା । ଭୁବନେଶ୍ୱର ରସୁଲଗଡ ଅଂଚଳରେ ପରିବା ବିକୁଛନ୍ତି ଦିନେ ବଲିଉଡରେ ଅଭିନିୟ କରିଥିବା କେନ୍ଦ୍ରାପଡାର କାର୍ତିକ ସାହୁ । କେନ୍ଦ୍ରାପଡାର ଗରଦପୁର ଅଂଚଳରୁ ଯାଇ ନିଜର ଅଭିନୟ ଦକ୍ଷତା ପାଇଁ ବଲିଉଡରେ ବିଭିନ୍ନ ଛୋଟମୋଟ ଭୂମିକା ପାଇଥିଲେ କାର୍ତିକ । ବିଭିନ୍ନ ମୁଭିରେ ସେ ପୁଲିସ ଓ ବିଭିନ୍ନ ଭୂମିକାରେ ନଜର ଆସିଛନ୍ତି । କିନ୍ତୁ କରୋନା ଫଳରେ ଅଧାରେ ରହିଗଲା ସ୍ୱପ୍ନ । ଓଡିଶା ଫେରିବା ପରେ ପରିବାରର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ହାତରେ ଧରିଛନ୍ତି ନିକିତି । ନିଜର ସୁନ୍ଦର ସ୍ୱାସ୍ଥ୍ୟପାଇଁ କାର୍ତିକ ମୁମ୍ବାଇର ବିଭିନ୍ନ ସ୍ଥାନରେ ବାଉନସର ଭାବରେ କାମ କରୁଥିଲେ ।

ହଠାତ ସେ ଷ୍ଟାର ଖିଲାଡୀ ଅକ୍ଷୟ କୁମାରଙ୍କ ସହ ସୂର୍ଯ୍ୟବଂଶୀ ଫିଲ୍ମରେ ଅଭିନୟ କରିବା ସୁଯୋଗ ପାଇଥିଲେ । ଏହି ଫିଲ୍ମରେ ସେ ପୁଲିସ ଭାବରେ ନଜର ଆସିଛନ୍ତି । ବଲିଉଡ ଷ୍ଟାର ସଂଜୟ ଦତ୍ତଙ୍କ ସହ ବି କାମ କରିଛନ୍ତି । ଶ୍ରୀଗଣେଶ ଭଳି ମେଗା ସିରିଏଲରେ ବି ସେ ଅଭିନୟ କରିଛନ୍ତି । ଠିକ ନିଜ କ୍ୟାରିୟର ଉପରକୁ ଉଠୁଥିବା ବେଳେ ବାଧକ ହେଲା କରୋନା । କରୋନା ମହାମାରୀ ତାଙ୍କୁ ମୁମ୍ବାଇରୁ ପୁଣିଥରେ ଓଡିଶା ଫେରାଇ ଆଣିଲା । ଆଉ ଓଡିଶାରେ ପହଂଚିବା ପରେ ପରିବାରର ଆର୍ଥିକ ସ୍ଥିତି ତାଙ୍କୁ ବାଧ୍ୟକଲା ରୋଜଗାର କରିବାପାଇଁ । ଏବେ ଅନ୍ୟ ବ୍ୟବସାୟର ସୁବିଧା ନଥିବାରୁ ମାତ୍ର ୨ହଜାର ଟଙ୍କାରେ ପରିବା ବେପାର ଆରମ୍ଭ କରିଛନ୍ତି । ସମୟ ହେଲେ ପୁଣିଥରେ ମାୟାନଗରୀ ଫେରିବେ ଆଶା ପ୍ରକାଶ କରିଛନ୍ତି କାର୍ତିକ ।