ଦେଶରେ ଭୟ ବଢାଉଛି କରୋନାର ଦ୍ୱିତୀୟ ଲହର । ଦୈନିକ ସଂକ୍ରମଣ ଟପିଲାଣି ୬୦ ହଜାର, ୩୦୦ ଆଡକୁ ମୁହାଁଉଛି ମୃତ୍ୟୁ ସଂଖ୍ୟା ।

118

କନକ ବ୍ୟୁରୋ: ୨୪ ଘଂଟାରେ ଦେଶରେ କରୋନା ସଂକ୍ରମଣ ୬୨ ହଜାରରୁ ଅଧିକ ରହିବା ପରେ କେନ୍ଦ୍ର ସରକାରଙ୍କ ଚିନ୍ତା ବଢିଯାଇଛି । ଗତକାଲି ଅଧିକ ସଂକ୍ରମିତ ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ସହ ଆଲୋଚନା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଏହି ୧୨ଟି ରାଜ୍ୟର ୪୬ଟି ଜିଲ୍ଲାରୁ ୭୧ ପ୍ରତିଶତ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ୬୯ ପ୍ରତିଶତ କରୋନା ମୃତ୍ୟୁ ଚିହ୍ନଟ ହୋଇଛି । କେବଳ ମହାରାଷ୍ଟ୍ରର ୩୬ଟି ଜିଲ୍ଲାରୁ ୨୫ ଜିଲ୍ଲା ଗୁରୁତର ପ୍ରଭାବିତ ହୋଇଛି । ତେଣୁ ଏସବୁ ଜିଲ୍ଲାରେ ସଂକ୍ରମଣ ରୋକିବାକୁ ପଂଚସୂତ୍ରୀ କଂଟେନମେଂଟ ରଣନୀତି ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର । ଏଗୁଡିକ ହେଲା ଟେଷ୍ଟିଂକୁ ବୃଦ୍ଧି କରିବା । ସଠିକ ସଂଗରୋଧ, କଂଟାକ୍ଟ ଟ୍ରେସିଂ, ସ୍ୱାସ୍ଥ୍ୟ ସମ୍ବଳର ଉପଯୁକ୍ତ ବିନିଯୋଗ, କରୋନା ନିୟମାବଳୀର ଠିକ ଢଙ୍ଗରେ ପାଳନ ଏବଂ ଟିକାର ପୂର୍ଣ୍ଣ ବ୍ୟବହାର ଭଳି ଉପାୟ ଗ୍ରହଣ କରିବାକୁ କୁହାଯାଇଛି । 

କରୋନାରେ ସର୍ବାଧିକ ପ୍ରଭାବିତ ମହାରାଷ୍ଟ୍ରରେ ଗତ ୨୪ ଘଂଟାରେ ୩୫ ହଜାର ୭୨୬ ସଂକ୍ରମଣ ଚିହ୍ନଟ ହୋଇଥିବାବେଳେ ୧୬୬ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷରୁ ଅଧିକ ରହିଛି । ଯାହା ରାଜ୍ୟ ସରକାରଙ୍କ ଚିନ୍ତାକୁ ଆହୁରି ବଢାଇ ଦେଇଛି । ମହାରାଷ୍ଟ୍ରରେ ଏବେ ଲକଡାଉନ ଜାରି କରାଯାଇଥିବାବେଳେ ଏହାକୁ ଏପ୍ରିଲ ୧୫ ତାରିଖ ଯାଏଁ ବଢାଇ ଦିଆଯାଇଛି । ୨୭ ମାର୍ଚ୍ଚରୁ ରାତି ୮ଟାରୁ ସକାଳ ୭ଟା ଯାଏଁ ୫ରୁ ଅଧିକ ଲୋକ ଏକତ୍ରିତ ହେବା ଉପରେ କଟକଣା ଲାଗିଛି । ରାତି ୮ଟା ପରେ ସିମେନା ହଲ, ମଲ, ଅଡିଟୋରିୟମ ଓ ରେଷ୍ଟୁରାଂଟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।