ଟ୍ୱିନ୍ ସିଟିରେ କୋଭିଡ୍ ନିୟମ ପାଳନରେ ଅସନ୍ତୋଷ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ: ତଦାରଖ କରିବା ପାଇଁ ଡିଜିଙ୍କୁ ନିର୍ଦ୍ଦେଶ; ରାଜଧାନୀର ଫାଷ୍ଟଫୁଡ ଦୋକାନରେ ସାମାଜିକ ଦୂରତା ରକ୍ଷା ପାଇଁ କମିସନରେଟ୍ ପୋଲିସର ସତର୍କ

ଦୋକାନୀଙ୍କ ଠାରୁ ଆଦାୟ କଲା ଜରିମାନା

129

କନକ ବ୍ୟୁରୋ: ଏଣିକି ରାଜ୍ୟରେ କଡାକଡି ହେବ କୋଭିଡ ନିୟମ । ବିଶେଷ କରି ଟୁଇନସିଟିରେ କୋଭିଡ ନିୟମକୁ କଡାକଡି ପାଳନ କରାଯିବାକୁ ନିଷ୍ପତି ନେଇଛନ୍ତି ସରକାର । ରାଜ୍ୟର କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ବସିଥିଲା । ଭୁବନେଶ୍ୱର-କଟକ କମିଶନରେଟ ଅଂଚଳରେ କୋଭିଡ ନିୟମ ପାଳନ ତତ୍ୱବଧାନ କରିବାକୁ ପୋଲିସ ମହାନିର୍ଦ୍ଦେଶକ ପ୍ରତ୍ୟକ୍ଷ ଦୃଷ୍ଟି ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ଅନ୍ୟ ଅଂଚଳମାନଙ୍କରେ କୋଭିଡ ନିୟମର ପାଳନ ସନ୍ତୋଷ ଜନକ ଥିବା ବେଳେ ଭୁବନେଶ୍ୱର ଏବଂ କଟକରେ ଏହା ଉତ୍ସାହଜନକ ନାହିଁ । ତେଣୁ କୋଭିଡ ସ୍ଥିତିର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଜୀବନ ଜିବିକାକୁ କିପରି ପ୍ରାଧାନ୍ୟ ଦିଆଯିବ ସେନେଇ ମଧ୍ୟ ଆଲୋଚନା କରାଯାଇଛି ।

କୋଭିଡ ଜନିତ ଆର୍ଥିକ ମାନ୍ଦାବସ୍ଥାରୁ ଗ୍ରାମାଂଚଳର ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଅର୍ଥନୈତିକ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନସିଂ ଜରିଆରେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି କୋଭିଡ ପରିଚାଳନା ବିଷୟରେ  ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏମଜିଏନଆରଇଜିଏସ ସମେତ ଅନ୍ୟ ଜିବିକା କାର୍ଯ୍ୟକ୍ରମ ଜରିଆରେ ଯେପରି ଗାଁ ଲୋକମାନେ ଅଧିକରୁ ଅଧିକ ରୋଜଗାର ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ପଡିବ । ସେହିପରି କୃଷି, ମତ୍ସଚାଷ, ଉଦ୍ୟାନ କୃଷି, ଜଙ୍ଗଲ, ମୃତିକା ସଂରକ୍ଷଣ ପାଇଁ ସେ ଘୋଷଣା କରିଥିବା ପ୍ୟାକେଜକୁ ଠିକ ଭାବେ କାର୍ଯ୍ୟକାରୀ କରିବା ସର୍ବୋଚ୍ଚ ପ୍ରାଥମିକତା ବୋଲି କହିଛନ୍ତି ନବୀନ ।

ସେପଟେ ରାଜଧାନୀର ଫାଷ୍ଟଫୁଡ୍ ଦୋକାନରେ ସାମାଜିକ ଦୂରତା କିପରି କଡ଼ାକଡ଼ି ପାଳନ ହେବ, ଏ ନେଇ କମିସନରେଟ୍ ପୋଲିସ ପକ୍ଷରୁ ସଚେତନା ଆରମ୍ଭ କରାଯାଇଛି । ସାମାଜିକ ଦୂରତା ପାଳନ ଓ ମାସ୍କ ପିନ୍ଧିବାକୁ ସତର୍କ କରିଛି ପୋଲିସ । କିଛି ଦୋକାନୀଙ୍କ ଠାରୁ ଫାଇନ ମଧ୍ୟ ଆଦାୟ କରାଯାଇଛି । ନିୟମ ଉଲଂଘନ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦିଆଯାଇଛି ।