ଫେରିଲା କରୋନା, ବଢିଲା ଆତଙ୍କ । ଚୀନର ରାଜଧାନୀ ବେଜିଂରେ ବଢିଲା ସଂକ୍ରମଣ, ଲାଗିଲା କଟକଣା ।

165

କନକ ବ୍ୟୁରୋ: ବେଜିଂକୁ ଫେରିଲା କରୋନା । ପ୍ରଶାସନ ଲଗାଇଲା କଟକଣା । ଚୀନ ରାଜଧାନୀ ବେଜିଂରେ କରୋନା ଆତଙ୍କ । ବେଜିଂରେ ପୁଣି ଥରେ କରୋନା ଛାପ ଦେଖା ଦେଇଛି । ଯାହାକୁ ନେଇ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି । କରୋନାର ଡେଲଟା ଭୂତାଣୁ ଏବେ ଚୀନର ବିଭିନ୍ନ ରାଜ୍ୟରେ ସକ୍ରିୟ ହେବାରେ ଲାଗିଛି । ଆଉ ରାଜଧାନୀ ବେଜିଂରେ ମଧ୍ୟ ଡେଲ୍ଟା ଆତଙ୍କ ଦେଖିବାକୁ ମିଳିଛି । ସହରର ଗତ ୨୪ ଘଂଟାରେ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଗତ ଦୁଇ ସପ୍ତାହ ଭିତରେ ୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ତତ୍ପର ହୋଇପଡିଛି ପ୍ରଶାସନ । ସହରରେ କରୋନା କଟକଣାକୁ ବଳବତର କରାଯାଇଛି ।

– ବେଜିଂର ଅନେକ ସୋସାଇଟିରେ ଲକଡାଉନ୍ କରାଯାଇଛି

– ବିବାହ, ଭୋଜି, ପ୍ରଦର୍ଶନୀ କନଫରେନ୍ସ, ଇଭେଂଟ୍ ସବୁ ଉପରେ କଟକଣା ଲଗାଯାଇଛି

– ବ୍ୟବସାୟୀକ ଅନୁଷ୍ଠାନ, ସପିଂ ମଲ, ଥିଏଟର, ପାର୍କ ଆଦି ସାର୍ବଜନୀନ ସ୍ଥାନକୁ ବନ୍ଦ କରାଯାଇଛି

ସେହିପରି ଯେତେସମ୍ଭବ ଅନଲାଇନ ତଥା ଭିଡିଓ କନଫରେନସ ମାଧ୍ୟମରେ ଇଭେଂଟ ଗୁଡିକୁ କରିବାକୁ ବେଜିଂ ରୋଗ ନିୟନ୍ତ୍ରଣ ସେଂଟରର ଉପନିର୍ଦେଶକ ପରାମର୍ଶ ଦେଇଛନ୍ତି । ଅଫଲାଇନ ଇଭେଂଟକୁ ମଧ୍ୟ ଅପେକ୍ଷାକୃତ କମ କରିବାକୁ କୁହାଯାଇଛି । ପାର୍ଟିସିପାଣ୍ଟମାନଙ୍କ ସାର୍ବଜନୀନ ସ୍ଥାନରେ ଖାଦ୍ୟ ଗ୍ରହଣ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିଛି ।

ସଂକ୍ରମଣକୁ ଲକ୍ଷରେ ରଖି ସଜାଗ ହୋଇପଡିଛି ଜିନପିଙ୍ଗ ସରକାର । ଆଗକୁ ବେଜିଙ୍ଗରେ ଶାସକ ଦଳର ଏକ ସମାବେଶ ଥିବା ସହ ଆସନ୍ତାବର୍ଷ ଫେବୃଆରୀରେ ଉଇଣ୍ଟର ଅଲମ୍ପିକସ ହେବାର ଅଛି । ଯାହାକୁ ନେଇ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଲାଗିପଡିଛି ଚୀନ ।