ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ । ଓଡିଶାରେ ସଂକ୍ରମଣ ଆଶଙ୍କା ବଢିଲା । ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ସ୍ଥିତି ବିଗିଡିଲେ ଲକଡାଉନ୍ ।

1,215

କନକ ବ୍ୟୁରୋ: ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ହେଲେ, ୫ ଦିନ ପରେ ପୁଣି ଥରେ ରାଜ୍ୟରେ କରୋନା ସଂକ୍ରମଣ ଉପର ମୁହାଁ ହୋଇଛି । ରବିବାର ଥିଲେ ମଧ୍ୟ ଶେଷ ୨୪ ଘଂଟାରେ ରାଜ୍ୟରେ ୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ଭୟ ବଢ଼ାଇ ଦେଇଛି । ପରିସ୍ଥିତିକୁ ଦେଖି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ କହିଛନ୍ତି, ଲୋକଙ୍କୁ ସଚେତନ କରାଯାଉଛି । ସ୍ଥିତି ବିଗିଡିଲେ ରାଜ୍ୟରେ ପୁଣି ଲକଡାଉନ ହୋଇପାରେ ।

ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇବା ପରେ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ଏହାକୁ ରୋକିବା ପାଇଁ କୋଭିଡ କଟକଣାକୁ କଡାକଡି ଭାବେ ପାଳନ କରିବାକୁ ପଦକ୍ଷେପ ନେଇଛନ୍ତି । ଧାର୍ମିକ ଅନୁଷ୍ଠାନ, ସପିଂ ମଲ, ବଜାର ଭଳି ଜଳଗହଳି ପୂର୍ଣ୍ଣ ସ୍ଥାନରେ ମାସ୍କ ଚେକିଂକୁ ଜୋରଦାର କରାଯାଇଛି । ସେହିପରି ସାମାଜିକ ଦୂରତା କିଭଳି ପାଳନ ହେଉଛି ତାର ମଧ୍ୟ ଯାଂଚ କରିବା ସହ ଲୋକଙ୍କ ସତର୍କ କରୁଛନ୍ତି ସ୍ଥାନୀୟ ପ୍ରଶାସନ ।

କରୋନା ସଂକ୍ରମଣ ରୋକବିା ପାଇଁ ନିଆଳି ମାଧବାନନ୍ଦଜୀୟୁ ମନ୍ଦିର ଓ ନେମାଳ ଅଚ୍ୟୁତାନନ୍ଦ ମହାପୁରୁଷ ଗାଦିରେ ୧୪୪ ଧାରା ଜାରି ହୋଇଛି । ୨୩ ତାରିଖରେ ଉଭୟ ମନ୍ଦିରରେ ଧାର୍ମିକ କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶଙ୍କା କରି ୨୨ ତାରିଖ ସନ୍ଧ୍ୟା ୫ଟାରୁ ୨୪ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କଟକଣା ଲଗାଇଛନ୍ତି ସ୍ଥାନୀୟ ପ୍ରଶାସନ । ମନ୍ଦିରର ୨୦୦ ମିଟର ପରିସର ପର୍ଯ୍ୟନ୍ତ ୧୪୪ ଧାରା ବଳବତର ରହିବ । ଅନ୍ୟପଟେ ନିୟମ ମାନିଲେ ସଂକ୍ରମଣ ବ୍ୟାପିବାର ସମ୍ଭାବନା କମ୍ ରହିଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

କଟକଣା ମାନିବା ସହ ରାଜ୍ୟରେ ଟେଷ୍ଟିଂ ବଢ଼ାଇବା ଓ ସର୍ଭେଲାନ୍ସ ବଢ଼ାଇବା ଉପରେ ଗୁରୁତ୍ୱ ଦେଇଛନ୍ତି ବିଶେଷଜ୍ଞ । ସବୁପରେ କରୋନା ମୁକାବିଲା ପାଇଁ କୋଭିଡ୍ ନିୟମକୁ ମାନିବା ଗୁରୁତ୍ୱପୂର୍ଣ୍ଣ ।