କରୋନା ନିୟମକୁ କଡ଼ାକଡ଼ି କରିବାକୁ ଅଣ୍ଟା ଭିଡ଼ିଲା ପ୍ରଶାସନ । କଟକ ଓ ଭୁବନେଶ୍ୱରରେ ସାମାଜିକ ଦୂରତା ଓ ମାସ୍କ ଯାଞ୍ଚକୁ ଗୁରୁତ୍ୱ ।

220

କନକ ବ୍ୟୁରୋ: ପଡ଼ୋଶୀ ଛତିଶଗଡ଼ ସମେତ ଦେଶର ୫ଟି ରାଜ୍ୟରେ ବଢୁଥିବା ସଂକ୍ରମଣ ଏବଂ କରୋନର ନୂଆ ନୂଆ ରୂପ ସାମ୍ନାକୁ ଆସିବା ପରେ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଦୈତନଗରୀ କଟକ ଓ ଭୁବନେଶ୍ୱରରେ ଯାଂଚ ଆହୁରି ଗୁରୁତ୍ୱ ଦିଆଯାଇଛି । ଆଉ ସାଧାରଣ ଜନତାଙ୍କୁ କୋଭିଡ୍ ନିୟମ ପାଳନ କରିବା ପରାମର୍ଶ ଦେଇଛି ଜିଲ୍ଲା ପ୍ରଶାସନ । ଆଉ ଏହାରି ଭିତରେ ଭୁବନେଶ୍ୱର ଡିିସିପି କହିଛନ୍ତି,ମାସ୍କ ଓ ସାମାଜିକ ଦୂରତା ଚେକିଂକୁ କଡ଼ାକଡ଼ି କରାଯିବ ।

କରୋନାଙ୍କୁ ନେଇ ଯଦି ଆପଣ ସଂପୂର୍ଣ୍ଣ ଆଶ୍ୱସ୍ତ ହୋଇଯାଇଛନ୍ତି, ତେବେ ଆପଣଙ୍କୁ ପୁଣି ଥରେ ଚିନ୍ତା କରିବାର ସମୟ ଆସିଛି । କାରଣ, ପଡ଼ୋଶୀ ଛତିଶଗଡ଼ ସମେତ ଦେଶର ୫ଟି ରାଜ୍ୟରେ ଯେଉଁ ଭଳି ଭାବେ ସଂକ୍ରମଣ ବଢୁଛି, ଟିକାକରଣ ହେବା ପୂର୍ବରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଏକମାତ୍ର ବାଟ ହେଉଛି ସତର୍କତା ।

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ, ମୁନିସିପାଲ କମିସନର, ପୁଲିସ କମିସନର, ଡିସିପି, ଏସପି ଓ ସିଡିଏମଓଙ୍କୁ ସତର୍କତାମୁଳକ ପଦକ୍ଷେପ ନେବା ପାଇଁ କୁହାଯାଇଛି । କରୋନା ନିୟମକୁ କଡ଼ାକଡ଼ି ପାଳନ କରିବା ଏବଂ ଜନଗହଳିପୂର୍ଣ୍ଣ ଅଂଚଳରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ଆଉ ଏହାରି ଭିତରେ ଭୁବନେଶ୍ୱରରେ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଅଂଟା ଭିଡିଛି କମିଶନରେଟ୍ ପୁଲିସ୍ । ଏଥିପାଇଁ ଭୁବନେଶ୍ୱରରେ ମାସ୍କ ଓ ସାମାଜିକ ଦୂରତା ଯାଂଚ ହେବ । ଅଧିକ ଲୋକଙ୍କୁ ଏକାଠି ହେବାକୁ ଦିଆଯିବ ନାହିଁ । ଏନଫୋର୍ସମେଂଟ ଟିମ୍କୁ ଆହୁରି ତତ୍ପର କରାଯିବ । ଏବଂ ଆବଶ୍ୟକ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି ।

ଭୁବନେଶ୍ୱର ଭଳି କଟକ ସହରରେ ମଧ୍ୟ କରୋନା ସଚେତନାକୁ ପ୍ରାଥମିତା ଦେଇଛନ୍ତି ଜିଲ୍ଲାପାଳ । ଜନଗହଳିପୂର୍ଣ୍ଣ ସ୍ଥାନଠୁ ଦୂରେଇ ରହିବା ସହ ସାମାଜିକ ଦୂରତା ଏବଂ ମାସ୍କ ପରିଧାନ କରିବାକୁ ପରାମର୍ଶ ଦେଇଛି ପ୍ରଶାସନ । କରୋନା ଯାଇନି ଏବଂ ଟିକାକରଣ ଜାରି ରହିଛି, ତେଣୁ ନିୟମ ମାନିବାକୁ ପରାମର୍ଶ ଦେଇଛନ୍ତି କଟକ ଜିଲ୍ଲାପାଳ । ରାଜ୍ୟ ସରକାରଙ୍କ ପରାମର୍ଶ ଏବଂ ଜିଲ୍ଲା ପ୍ରଶାସନ ଗୁଡ଼ିକର ପ୍ରସ୍ତୁତି ଭିତରେ, ଜନତାଙ୍କର ବଡ଼ ଦାୟିତ୍ୱ ହେଉଛି, କରୋନା ଭଳି ମହାମାରୀ ସମୟରେ ସାବଧାନ ରହିବା ଏବଂ ସତର୍କତାକୁ ମାନି ସରକାର ଓ ପ୍ରଶାସନକୁ ସହଯୋଗ କରିବା ।