ଆସନ୍ତାକାଲିଠୁ କଟକ ସହରରେ କଡାକଡି ହେବ ମାସ୍କ ଚେକିଂ । ସିଏମସି ଗଠନ କଲା ସ୍ୱତନ୍ତ୍ର ସ୍କ୍ୱାର୍ଡ । ସହରର ଜନଗହଳି ଅଞ୍ଚଳରେ ହେବ ଚେକିଂ ।

155

କନକ ବ୍ୟୁରୋ: ଆସନ୍ତାକାଲିଠୁ କଟକ ସହରରେ ଜୋରଦାର ହେବ ମାସ୍କ ଚେକିଂ । ସହରର ବିଭିନ୍ନ ଅଞ୍ଚଳରେ ମାସ୍କ ଚେକିଂ କରିବେ ସ୍ୱତନ୍ତ୍ର ସ୍କ୍ୱାର୍ଡ । କରୋନା ସଂକ୍ରମଣ ବଢୁଥିବା ଦେଖି ରାଜ୍ୟ ସରକାରଙ୍କ ଚିଠି ପାଇବା ପରେ ଏନେଇ ତତ୍ପର ହୋଇଉଠିଛି ସିଏମସି । ରବିବାର ଏନେଇ ଏକ ଅର୍ଡର ମଧ୍ୟ ଜାରି କରାଯାଇଛି ।

ସିଏମସିର ଏହି ଅର୍ଡରରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ବାବଦରେ ସୂଚନା ଦିଆଯାଇଛି । ଏହି ଆଧାରରେ କଟକ ମହାନଗର ନିଗମ ଅଞ୍ଚଳରେ କୋଭିଡ୍ କଟକଣା କଡାକଡି କରିବାକୁ ସିଏମସି ଦୁଇଟି ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରିଛି । ଦୁଇଟି ଯାକ ଟିମରେ ୪ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି । ସିଏସି ତରଫରୁ ସେମାନଙ୍କର ନାଁ ମଧ୍ୟ ଅର୍ଡରରେ ଉଲ୍ଲେଖ କରାଯାଇଛି ।

ଆସନ୍ତାକାଲି ଡେପୁଟି କମିଶନର ଅବିନାଶ ରାଉତଙ୍କ ନିରୀକ୍ଷଣରେ ଏହି ସ୍ୱତନ୍ତ୍ର ସ୍କ୍ୱାର୍ଡ କାମ କରିବା ଆରମ୍ଭ କରିବ । ସୂଚନାଯୋଗ୍ୟ ଯେ, ପଡୋଶୀ ରାଜ୍ୟରେ ଏବେ ସଂକ୍ରମଣ ବଢିବାରେ ଲାଗିଛି । ଏହାକୁ ଦେଖି ବେଳହୁଁ ରାଜ୍ୟ ସରକାର ସତର୍କ ନୀତି ଆପଣାଇଛନ୍ତି । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ଓ ଏସଆରସି ପ୍ରତି ଜିଲ୍ଲାପାଳ, ମୁନିସିପାଲ କମିଶନରମାନଙ୍କୁ ଚିଠି ଲେଖି ନିୟମ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।