କଟକରେ ଧିରେ ଧିରେ ବିଗୁଡିଛି ସ୍ଥିତି: ଏସସିବିରୁ ୧୧ ନୂଆ ଆକ୍ରାନ୍ତ ଚିହ୍ନଟ; ଏଣିକି କଟକ ଆସିଲେ ୧୪ ଦିନ ସଙ୍ଗରୋଧ ବାଧ୍ୟତାମୂଳକ

ପଜିଟିଭ ଚିହ୍ନଟ ଅଧିକାଂଶ ବାହାର ଜିଲ୍ଲାର ହୋଇଥିବାରୁ ସିଏମସି ନେଇଛି ନିଷ୍ପତି

2,006

କନକ ବ୍ୟୁରୋ: ୫ଟି ହଟସ୍ପଟ୍ ଜିଲ୍ଲା ଓ କଟକ ଜିଲ୍ଲାର ୫ଟି ବ୍ଳକରୁ କଟକ ସହରକୁ ଆସିଲେ ପ୍ରଥମେ ୧୪ ଦିନ କ୍ୱାରେଂଟିନ୍ରେ ରହିବାକୁ ପଡ଼ିବ । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏଭଳି ନିଷ୍ପତି ନେଇଛି କଟକ ମହାନଗର ନିଗମ । ଗଂଜାମ, ଖୋର୍ଦ୍ଧା, ଯାଜପୁର, ଗଜପତି, ବାଲେଶ୍ୱର ଜିଲ୍ଲାରୁ କଟକ ଆସିଲେ ସଙ୍ଗରୋଧରେ ରହିବାକୁ ପଡ଼ିବ । ସେହିପରି କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି, ନରସିଂହପୁର, ମାହାଙ୍ଗା, ବଡମ୍ବା ଓ ତିଗିରିଆ ବ୍ଳକରୁ କଟକ ମହାନଗମ ଅଂଚଳକୁ ଆସୁଥିବା ଲୋକଙ୍କ ପାଇଁ ମଧ୍ୟ ଏହି କଟକଣା ଲାଗୁ ହେବ । ହୋମ କ୍ୱାରେଂଟିନରେ ଯଦି ରହିବା ପାଇଁ ସୁବିଧା ନଥିବ, ତେବେ ସରକାରଙ୍କ କ୍ୱାରେଂଟିନ୍ ସେଂଟରରେ ରହିବେ ବାହାରୁ ଆସୁଥିବା ବ୍ୟକ୍ତି । କଟକରେ ଯେଉଁ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ବାହାର ଜିଲ୍ଲାର ଲୋକ ହୋଇଥିବାରୁ ସିଏମସି ଏହି ନିଷ୍ପତି ନେଇଛି ।

ଅନ୍ୟପଟେ, ସଫଳ ହୋଇପାରେ ଭାରତର କରୋନା ଟୀକା । ଦେଶର ୧୨ଟି ସେଂଟରରେ କରୋନା ଟୀକା ‘କୋଭାକ୍ସିନ’ ର ହ୍ୟୁମାନ ଟ୍ରାଏଲ କରାଯିବ । ଏଥିରେ ସାମିଲ ହୋଇଛି ରାଜ୍ୟର ସମ୍ ହସପିଟାଲ । ଟୀକାର ମାନବ ପରୀକ୍ଷଣ ପାଇଁ ଜୁଲାଇ ୭ ତାରିଖ ସୁଦ୍ଧା ସ୍ୱେଚ୍ଛାସେବୀଙ୍କ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି । ତେବେ ବଡ କଥା ହେଉଛି ଯେ, ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ସ୍ୱେଚ୍ଛାସେବୀ ଓ ଡାକ୍ତରମାନେ ଏହି ପରୀକ୍ଷଣରେ ସାମିଲ ହେବାକୁ ଆବେଦନ କରିଛନ୍ତି ।  କନକ ନ୍ୟୁଜକୁ  ସୂଚନା ଦେଇ ସମ ହସପିଟାଲର ବିଭାଗୀୟ ମୁଖ୍ୟ କହିଛନ୍ତି, ଏହି ମାନବ ପରୀକ୍ଷଣ ପାଇଁ ଆମ ରାଜ୍ୟରେ ଯୁବକମାନେ ବେଶ୍ ଆଗ୍ରହ ପ୍ରକାଶ କରୁଛନ୍ତି ।