ଟିକାକରଣ ନେଇ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ : ୧୧ ମୁଖ୍ୟମନ୍ତ୍ରୀ, ୪୦ ଜିଲ୍ଲାପାଳଙ୍କ ସହ କଥା ହେବେ ମୋଦୀ

Advertisment
ଟିକାକରଣ ନେଇ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ : ୧୧ ମୁଖ୍ୟମନ୍ତ୍ରୀ, ୪୦ ଜିଲ୍ଲାପାଳଙ୍କ ସହ କଥା ହେବେ ମୋଦୀ

କନକ ବ୍ୟୁରୋ : ଆଜି ଟିକାକରଣ ନେଇ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜାତୀୟ ହାରଠାରୁ କମ୍ କରୋନା ଟିକାକରଣକୁ ନେଇ ସମୀକ୍ଷା କରିବେ ମୋଦୀ । ୧୧ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ୪୦ ଜିଲ୍ଲାପାଳଙ୍କ ସହ ପ୍ରଧାନମନ୍ତ୍ରୀ କଥା ହେବେ । ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ପ୍ରମୁଖ ଉପସ୍ଥିତ ରହିବେ । ଜାତୀୟ ଟିକାକରଣ ହାର ଠାରୁ ବିହାର, ଝାଡଖଣ୍ଡ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ନାଗାଲାଣ୍ଡ, ପଞ୍ଜାବ, ତାମିଲନାଡୁ, ଉତରପ୍ରଦେଶ ଓ ପଶ୍ଚିମବଙ୍ଗରେ ଟିକାକରଣ କମ୍ ହୋଇଛି । ଉତରପ୍ରଦେଶରେ ୧ କୋଟି ୬୦ ଲକ୍ଷ ଲୋକ ଦ୍ୱିତୀୟ ଡୋଜ୍ ଟିକା ନେଇନାହାନ୍ତି । ସେହିପରି ୧୮ ରାଜ୍ୟର ୪୯ଟି ଜିଲ୍ଲାରେ ୫୦ ପ୍ରତିଶତରୁ କମ୍ ଲୋକ ପ୍ରଥମ ଡୋଜ୍ ଟିକା ନେଇନାହାନ୍ତି ।

ସେପଟେ, ୫ଦିନିଆ ରୋମ୍‌, ଇଟାଲି ଓ ଇଂଲଣ୍ଡ୍‌ର ଗ୍ଲାସଗୋ ଗସ୍ତ ଶେଷକରି ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱଦେଶ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଅକ୍ଷୟଶକ୍ତି ନିମନ୍ତେ ଭାରତ ପୂବରୁ ଘୋଷଣା କରିଥିବା ପ୍ରତିଶ୍ରୁତିକୁ ଗ୍ଲାସଗୋରେ ଅନୁଷ୍ଠିତ ‘ସିଓପି୨୬’ରେ ଭାରତ ଆହୁରି ବୃଦ୍ଧି କରିବା ସହ ଭବିଷ୍ୟତର ବୈଶ୍ୱିକ ସମସ୍ୟାରେ ଭାରତର ସ୍ଥିତି ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ‘ଜି୨୦’ ସମ୍ମିଳନୀରେ ବିଶ୍ୱ ନେତୃବୃନ୍ଦଙ୍କ ସହ ସବିଶେଷ ଆଲୋଚନା କରିଛନ୍ତି । ଏ ସଂକ୍ରାନ୍ତରେ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଦୁଇ ଦିନ ଧରି ପୃଥିବୀର ଭବିଷ୍ୟତ ସଂକ୍ରାନ୍ତରେ ବ୍ୟାପକ ଆଲୋଚନା କରି ଗ୍ଲାସ୍‌ଗୋରୁ ବାହାରୁଛି। ଭାରତ କେବଳ ଯେ ‘ପ୍ୟାରିସ୍‌ ପ୍ରତିବଦ୍ଧତା’କୁ ଟପିଯାଇଛି ତାହା ନୁହେଁ, ଆଗାମୀ ୫୦ ବର୍ଷ ପାଇଁ ମଧ୍ୟ ଉଚ୍ଚକାଙ୍‌କ୍ଷା ଧାର୍ଯ୍ୟ କରିଛି ।

ଅନ୍ୟ ଏକ ଟୁଇଟ୍‌ରେ ସେ ଲଖିଛନ୍ତି, ଦୀର୍ଘ ଦିନ ପରେ ପୁରୁଣା ବନ୍ଧୁମାନଙ୍କୁ ସଶରୀର ଦେଖିବା ଓ କିଛି ନୂଆ ବନ୍ଧୁଙ୍କୁ ଭେଟିବା ବଡ଼ ଆନନ୍ଦର କଥା । ଆମକୁ ଆତିଥ୍ୟ ପ୍ରଦାନ କରିଥିବା ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ ପ୍ରତି ଏବଂ ମନୋରମ ଗ୍ଲାସ୍‌ଗୋରେ ସ୍କଟ୍‌ଲାଣ୍ଡ୍‌ବାସୀଙ୍କ ନିବିଡ଼ ଆତିଥ୍ୟ ପାଇଁ ମୁଁ ଚିର କୃତଜ୍ଞ । ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମେଲାଣି ଦେବା ପାଇଁ ରଙ୍ଗବିରଙ୍ଗ ପୋଷାକ ପରିହିତ ବହୁସଂଖ୍ୟକ ଭାରତୀୟ ସମ୍ପ୍ରଦାୟ ଏକତ୍ର ହୋଇଥିଲେ । ଭାରତ ଅଭିମୁଖେ ପ୍ରତ୍ୟାବର୍ତ୍ତନ ଯାତ୍ରା ଆରମ୍ଭ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ସମବେତ ଜନତାଙ୍କ ମେଳରେ ବାଜା ମଧ୍ୟ ବଜାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe