କରୋନା ବିରୋଧୀ ଯୁଦ୍ଧ ନେଇ ନୂଆ ଆଶା: ଦେଶର ପ୍ରଥମ ପ୍ଲାଜମା ଥେରାପି ଚିକିତ୍ସା ସଫଳ ହୋଇଥିବା ଡାକ୍ତରଙ୍କ ଦାବି; ଦିଲ୍ଲୀରେ ପ୍ଲାଜମା ଥେରାପୀରେ ସୁସ୍ଥ ହେଲେ କରୋନା ଆକ୍ରାନ୍ତ

492

କନକ ବ୍ୟୁରୋ: କରୋନା ପାଇଁ ଏପର୍ଯ୍ୟନ୍ତ କୌଣସି ଫଳପ୍ରଦ ଟିକା ବାହାରି ନଥିବା ବେଳେ ଚିକିତ୍ସକ ଓ ବୈଜ୍ଞାନିକମାନେ ଭିନ୍ନ ଭିନ୍ନ ଉପାୟରେ ଚିକିତ୍ସା ନେଇ ଗବେଷଣା ଓ ଉଦ୍ୟମ କରିଆସୁଛନ୍ତି । ଏନେଇ ପ୍ଲାଜମା ଥେରାପି ଜରିଆରେ କରୋନା ପଜିଟିଭ୍ ବ୍ୟକ୍ତିଙ୍କ ଚିକତ୍ସା କରାଯାଉଛି । ତେବେ ଖୁସିର କଥା ହେଲା ଭାରତରେ କରାଯାଇଥିବା ପ୍ରଥମ ପ୍ଲାଜମା ଥେରାପି ଚିକିତ୍ସା ସଫଳ ହୋଇଛି ।

ଦିଲ୍ଲୀର ସାକେତରେ ଥିବା ମାକ୍ସ ହସ୍ପିଟାଲରେ ଏହି ଚିକିତ୍ସା କରାଯାଇଛି । ପ୍ଲାଜମା ଥେରାପି ଚିକିତ୍ସା ପରେ କରୋନା ଆକ୍ରାନ୍ତ ବ୍ୟକ୍ତି ଜଣକ ସୁସ୍ଥ ହୋଇଥିବା ବେଳେ ତାଙ୍କ ଠାରେ ଆଉ ଏବେ କରୋନା ଲକ୍ଷଣ ଦେଖାଯାଉ ନାହିଁ । ଖବର ଅନୁସାରେ ଏପ୍ରିଲ ୪ ତାରିଖରେ ୪୯ ବର୍ଷୀୟ ଏହି ପୁରୁଷ ବ୍ୟକ୍ତି ଜଣକ ପଜିଟିଭ୍ ଚିହ୍ନଟ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେତେବେଳେ ଆକ୍ରାନ୍ତଙ୍କ ଦେହରେ ମଧ୍ୟମ ଧରଣର ଲକ୍ଷଣ ଦେଖାଯାଉଥିଲା । ତେବେ ତାଙ୍କ ଅବସ୍ଥା ଧୀରେ ଧୀରେ ଖରାପ ହୋଇଚାଲିଲା ।

ଫଳରେ ୮ତାରିଖରେ ତାଙ୍କୁ ଭେଂଟିଲେଟରରେ ରଖାଯାଇଥିଲା । ତେବେ ତାଙ୍କ ସ୍ୱାସ୍ଥ୍ୟ ବସ୍ଥାରେ ସୁଧାର ନଆସିବାରୁ ପରିବାର ଲୋକ ଡାକ୍ତରଙ୍କୁ ପ୍ଲାଜମା ଥେରାପି ଚିକିତ୍ସା ପାଇଁ ଅନୁରୋଧ କଲେ । ଏହାପରେ ଡାକ୍ତର ପ୍ଲାଜମା ଥେରାପି ମାଧ୍ୟମରେ ଚିକତ୍ସା କରିବା ପରେ ସେ ଏବେ ସୁସ୍ଥ ହୋଇଛନ୍ତି । ପ୍ଲାଜମା ଥେରାପି ଚିକିତ୍ସାରେ କରୋନାରୁ ସୁସ୍ଥ ହୋଇଥିବା କୌଣସି ବ୍ୟକ୍ତି ପାଖରୁ ପ୍ଲାଜମା ଅଣାଯାଇ ଏହାକୁ ବ୍ୟବହାର କରାଯାଇ ଚିକିତ୍ସା କରାଯାଏ ।