କନକ ବ୍ୟୁରୋ : ସମ୍ କୋଭିଡ୍ ହସ୍ପିଟାଲରୁ ଜଣେ କୋଭିଡ୍ ରୋଗୀ ଖସି ପଳାଇବା ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଭଦ୍ରକ ଅଞ୍ଚଳର ଉକ୍ତ ୭୭ବର୍ଷୀୟ ବୃଦ୍ଧଙ୍କୁ ପରେ ଭରତପୁର-କଳିଙ୍ଗ ଷ୍ଟୁଡିଓ ନିକଟ ଏକ ପରିବା ବଜାରରୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତି କରାଯାଇଛି। ବୃଦ୍ଧଜଣକ ବଜାରରେ ବସିଥିବା ସମୟରେ ସ୍ଥାନୀୟ ଅଞ୍ଚଳର ୨ଜଣ ଯୁବକ କରୋନା ରୋଗୀ ସନ୍ଦେହରେ ତାଙ୍କ ହାତଗୋଡ଼ ବାନ୍ଧି ପକାଇଥିଲେ। ତେଣୁ ସେମାନଙ୍କୁ ମଧ୍ୟ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ସଂପୃକ୍ତ ବୃଦ୍ଧଜଣକ ଏମ୍ସରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ତାଙ୍କ ପରିବାରଲୋକ ଏମ୍ସରେ ରହିଥିବା ବେଳେ ତାଙ୍କୁ ସମ୍ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସମ୍ରେ ତାଙ୍କର ଆଡମିସନ୍ ପାଇଁ ପଞ୍ଜୀକରଣ ଚାଲିଥିବା ବେଳେ ବୃଦ୍ଧଜଣକ କାହାକୁ କିଛି ନ କହି ସେଠାରୁ ଚାଲି ଯାଇଥିଲେ। ଏହା ଜାଣି ପାରି ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀ ତାଙ୍କ ପଛରେ ଧାଇଁଥିଲେ। ମାତ୍ର ପିପିଇ ପିନ୍ଧି ନ ଥିବା କାରଣରୁ ତାଙ୍କ ପଛେ ପଛେ ଚାଲିଥିଲେ ହେଁ ଧରି ନଥିଲେ। ବୃଦ୍ଧଜଣକ ନିକଟସ୍ଥ ଏକ ପରିବା ବଜାରରେ ପହଞ୍ଚି ସେଠାରେ ବସି ପଡ଼ିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଲୋକମାନଙ୍କ ମଧ୍ୟରେ ଜଣେ କରୋନା ରୋଗୀ ବଜାରରେ ଥିବା ଖବର ବିଜୁଳି ବେଗରେ ବ୍ୟାପି ଯାଇଥିଲା। ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଥିଲା। ତେବେ ବୃଦ୍ଧଜଣକ ଅନ୍ୟ କାହା ସହ ମିଶିଯିବା ସନ୍ଦେହ କରି ୨ଜଣ ଯୁବକ ତାଙ୍କ ହାତଗୋଡ଼ ବାନ୍ଧି ପକାଇଥିଲେ। ବୃଦ୍ଧଙ୍କୁ ନେବା ଲାଗି ପିପିଇ କିଟ୍ ଓ ଆମ୍ବୁଲାନ୍ସ ପାଇଁ ଖବର ଦିଆଯାଇଥିଲା। କିଛି ସମୟ ଭିତରେ ସେଠାରେ ଆମ୍ବୁଲାନ୍ସ ପହଞ୍ଚିବା ପରେ ସଂପୃକ୍ତ ବୃଦ୍ଧଙ୍କୁ ଉଠାଇ ନେଇଥିଲା। ଏହାସହ ଯେଉଁ ୨ଜଣ ଯୁବକ ତାଙ୍କ ହାତଗୋଡ଼ ବାନ୍ଧିଥିଲେ, ତାଙ୍କୁ ମଧ୍ୟ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଥିଲା। ଦୁହିଁଙ୍କ ସ୍ୱାବ ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି।