ଲକ୍ଷଣ ନଥିଲେ ଘରେ ରହିବେ କରୋନା ସଂକ୍ରମିତ: ସଙ୍ଗରୋଧ ଦାୟିତ୍ୱରେ ଥିବା ନୋଡାଲ ଅଫିସର ଆକ୍ରାନ୍ତଙ୍କ ଘର ଯାଞ୍ଚ କରିବେ; ଆକ୍ରାନ୍ତ ନିଜ ଇଚ୍ଛାରେ ରହି‌ଥିଲେ ତାଙ୍କଠାରୁ ଅଣ୍ଡରଟେକିଂ ଆଣିବେ

ରାଜଧାନୀର ୬ଟି ହସ୍ପିଟାଲରେ ଯାଞ୍ଚ କଲା ସ୍ମାର୍ଟ ସିଟି ସ୍କ୍ୱାର୍ଡ

327

କନକ ବ୍ୟୁରୋ: ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ବିଏମ୍‌ସି ସମସ୍ତଙ୍କୁ କୋଭିଡ୍‌ ହସ୍ପିଟାଲକୁ ନନେବାକୁ ଯୋଜନା କରିଛି। ଯେଉଁ କରୋନା ଆକ୍ରାନ୍ତଙ୍କର ଲକ୍ଷଣ ନଥିବ ସେମା‌ନେ ଯେପରି ଘରେ ସଙ୍ଗରୋଧ ରହି ଚିକିତ୍ସିତ ହୋଇପାରିବେ ସେଥିପାଇଁ ବିଏମ୍‌ସି ଯୋଜନା କରିଛି। କିନ୍ତୁ ବସ୍ତିବାସିନ୍ଦା କରୋନା ଆକ୍ରାନ୍ତ ହେଲେ ଲକ୍ଷଣ ନଥିଲେ ବି କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହେବେ। ଏନେଇ ବିଏମ୍‌ସି ପକ୍ଷରୁ ଏସ୍‌ଓପି ଜାରି କରାଯାଇଛି। ବିଏମ୍‌ସି ପକ୍ଷରୁ ନିଷ୍ପତ୍ତି ହୋଇଛି ଯେ, ଯଦି କୌଣସି କରୋନା ଆକ୍ରାନ୍ତଙ୍କର ଲକ୍ଷଣ ନଥିବ ଏବଂ ସେ ଘରେ ରହି ଚିକିତ୍ସିତ ହେବାକୁ କହିବେ ବା ତାଙ୍କୁ ଯଦି ଘରେ ରହି ଚିକିତ୍ସିତ ହେବାକୁ କୁହାଯାଏ ତେବେ ସଙ୍ଗରୋଧ ଦାୟିତ୍ବରେ ଥିବା ନୋଡାଲ ଅଫିସର ଆକ୍ରାନ୍ତଙ୍କ ଘର ଯାଞ୍ଚ କରିବେ। ଘରେ ଆକ୍ରାନ୍ତ ଜଣଙ୍କ ରହିବା ପାଇଁ ଆବଶ୍ୟକୀୟ ସୁବିଧା ଅଛି କି ନାହିଁ ତାହା ଦେଖିବେ। ଏହାପରେ ଆବଶ୍ୟକୀୟ ଡକୁମେଣ୍ଟ ପୂରଣ କରିବେ। ଆକ୍ରାନ୍ତ ନିଜ ଇଚ୍ଛାରେ ରହି‌ଥିଲେ ତାଙ୍କଠାରୁ ଅଣ୍ଡରଟେକିଂ ଆଣିବେ। ଏହାପରେ ଜୋନ୍‌ ସ୍ତରୀୟ ଆର୍‌ଆର୍‌ଟି ଟିମ୍‌ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିବେ।

ସେହିପରି ବସ୍ତି ଅଞ୍ଚଳରୁ ‌ଯଦି କେହି କରୋନା ଆକ୍ରାନ୍ତ ବାହାରନ୍ତି ତେବେ ତାଙ୍କୁ ତୁରନ୍ତ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯିବ। ତାଙ୍କ ଘର ନିକଟରେ ଥିବା ସମସ୍ତ ଲୋକଙ୍କୁ ସଙ୍ଗରୋଧରେ ରଖାଯିବ। ୫ରୁ ୭ଦିନ ମଧ୍ୟରେ ସମସ୍ତଙ୍କର କୋଭିଡ୍‌ ପରୀକ୍ଷା ହେବ। କେଉଁ କାରଣରୁ କରୋନା ହେଲେ ତା’ର ତୁରନ୍ତ କାରଣ ଖୋଜାଯିବ ବୋଲି ନିଷ୍ପତ୍ତି ହୋଇଛି।

୬ ହସ୍ପିଟାଲରେ ଯାଞ୍ଚ କଲା ସ୍ମାର୍ଟ ସିଟି ସ୍କ୍ୱାର୍ଡ

କେଉଁ ହସ୍ପିଟାଲରେ କରୋନା କଟକଣା କିପରି ମାନୁଛନ୍ତି, ରୋଗୀ, ହସ୍ପିଟାଲ କର୍ମଚାରୀ ସାମାଜିକ ଦୂରତା ରଖୁଛନ୍ତି କି ନାହିଁ, ହସ୍ପିଟାଲରେ ନିୟମିତ ବିଶୋଧକ ସ୍ପ୍ରେ ହେଉଛି କି ନାହିଁ ଆଦି ଆଜି ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ‌ସ୍ବତନ୍ତ୍ର ସ୍କ୍ବାଡ୍‌ ଯାଞ୍ଚ କରିଛି। ବିଏମ୍‌ସି ହସ୍ପିଟାଲର ସହକାରୀ ସର୍ଜନ ଡାକ୍ତରଙ୍କ ନେତୃତ୍ବରେ ସ୍କ୍ୱାର୍ଡ‌  ଦକ୍ଷିଣ-ପୂର୍ବ ଜୋନ୍‌ରେ ସଞ୍ଜୀବନୀ ହସ୍ପିଟାଲ, ଶ୍ରୀ ହସ୍ପିଟାଲ, ସନ୍‌ଫ୍ଲାୱାର ନର୍ସିଂ ହୋମ୍‌, ସନ୍‌ସାଇନ୍ ହସ୍ପିଟାଲ, ନୀଳାଚଳ ହସ୍ପିଟାଲ ଏବଂ ଉତ୍ତର ଜୋନ୍‌ର ରେଲୱେ ହସ୍ପିଟାଲ ଯାଞ୍ଚ କରିଥିଲା। କମିଟି ତା’ର ରିପୋର୍ଟ ବିଏମ୍‌ସିରେ ଦାଖଲ କରିଥିବାବେଳେ ଯେଉଁ ହସ୍ପିଟାଲ ନିୟମ ମାନିନଥିବେ ସେହି ହସ୍ପିଟାଲକୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହେବ ବୋଲି କୁହାଯାଇଛି।