ବିଶ୍ୱରେ କରୋନା ମହାମାରୀ ଭିତରେ ଆସିଲା ଆଶ୍ୱସ୍ତିକର ଖବର: ଋଷିଆ ଆଣିଲା ପ୍ରଥମ କରୋନା ଟିକା; ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅନୁମତି ପରେ ଘୋଷଣା କଲେ ରାଷ୍ଟ୍ରପତି

ପୁଟିନ କହିଲେ, ଝିଅଙ୍କୁ ଦିଆଯାଇଛି ପ୍ରଥମ ଟିକା: ଅକ୍ଟୋବରରେ ହେବ ବ୍ୟାପକ ଉତ୍ପାଦନ

496

କନକ ବ୍ୟୁରୋ: କରୋନା ଟୀକାକୁ ନେଇ ଆସିଛି ଏକ ବଡ ଖବର । କରୋନାର ପ୍ରଥମ ଟିକା ପ୍ରସ୍ତୁତ ହୋଇଥିବା ଆଜି ଔପଚାରିକ ଭାବେ ଘୋଷଣା କରିଛନ୍ତି ଋଷ ସରକାର । ରାଷ୍ଟ୍ରପତି ଭାଲ୍ଦମିର ପୁଟିନ ଏହି ଘୋଷଣା କରିଛନ୍ତି । ରାଷ୍ଟ୍ରପତିଙ୍କ ଝିଅଙ୍କୁ ପ୍ରଥମ ଟିକା ଦିଆଯାଇଛି । ଋଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ଟିକାକୁ ସବୁଜ ସଂକେତ ଦେବା ପରେ କରୋନା କାଳରେ ଏହି ବଡ ଘୋଷଣା କରିଛନ୍ତି ରାଷ୍ଟ୍ରପତି ପୁଟିନ । ସେପଟେ ବିଶ୍ୱରେ ୧୬୦ଟି ଦେଶ କିମ୍ବା ସଂସ୍ଥା କରୋନା ଟିକା ପ୍ରସ୍ତୁତିରେ ଲାଗିଛନ୍ତି । ଏହି ପ୍ରତିଯୋଗିତା ଭିତରେ ଋଷର ଘୋଷଣା ନୂଆ ଆଶାର ସମ୍ଭାବନା ସୃଷ୍ଟି କରିଛି । ସେପଟେ ଆମେରିକୀୟ ଗଣମାଧ୍ୟମ ନ୍ୟୁୟର୍କ ଟାଇମ୍ସ କହିଛି ମାନବ ପରୀକ୍ଷଣ ପୂରା ନକରି ଟିକା ଆଣିଛି ଋଷ୍ ।

ଅନେକ ଦିନରୁ ଚର୍ଚ୍ଚା ଚାଲିଥିଲା ଯେ, ଆମେରିକା, ବ୍ରିଟେନ୍ ଓ ରୁଷ ମଧ୍ୟରୁ କେଉଁ ଦେଶ ପ୍ରଥମେ କରୋନା ଟିକା ବଜାରକୁ ଆଣିବାରେ ସମର୍ଥ ହେବ? ବିଶ୍ୱ ମହାମାରୀରୁ ମୁକ୍ତି ଦେବା ପାଇଁ କିଏ ପ୍ରସ୍ତୁତ କରିବ ପ୍ରଥମ ଟିକା? ଏହି ପ୍ରତିଯୋଗିତାରେ ରୁଷିଆ ସବୁଠାରୁ ଆଗରେ ଥିବାପରି ମନେ ହେଉଛି । କାରଣ କରୋନା ଟିକାର ପଞ୍ଜିକରଣ କରିସାରିଛି ରୁଷିଆ । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିଛନ୍ତି ଯେ, ବିଶ୍ୱର ପ୍ରଥମ କରୋନା ଟିକା ବିକାଶ କରିସାରିଛି ରୁଷିଆ । ଏହାର ପରୀକ୍ଷଣ ସଫଳ ହେବା ପରେ ଦେଶର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ଟିକାକୁ ମଞ୍ଜୁରୀ ଦେଇସାରିଛି । ଅର୍ଥାତ ଖୁବଶୀଘ୍ର ଏହାର ଉତ୍ପାଦନ ଓ ବ୍ୟବସାୟ ମଧ୍ୟ ଆରମ୍ଭ କରିଦେବ ରୁଷ । ସମ୍ବାଦ ସରବରାହ ସଂସ୍ଥା ଏଏଫପି ସୂଚନା ଦେଇଛି ଯେ, ରୁଷିଆର ଗାମେଲ୍ୟା ଇନଷ୍ଟିଚ୍ୟୁଟ୍ ଏହି ଟିକାକୁ ପ୍ରସ୍ତୁତ କରିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହାକୁ ମଞ୍ଜୁରୀ ଦେଇସାରିଥିବାରୁ ଖୁବଶୀଘ୍ର ବିପୁଳ ପରିମାଣରେ ଟିକାର ଡୋଜ୍ ପ୍ରସ୍ତୁତ ହୋଇଯିବ ।

ରୁଷିଆର ଉପସ୍ୱାସ୍ଥ୍ୟମନ୍ତ୍ରୀ ଓଲେଗ ଗ୍ରିଦନେଭ କହିଥିଲେ ଯେ, ଗାମେଲ୍ୟା ଇନଷ୍ଟିଚ୍ୟୁଟ୍ ଅଫ ଏପିଡେମିଓଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜି ଓ ରୁଷିଆ ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତୁତ କରୋନା ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି । ଏହି ବ୍ୟାପକ ପରୀକ୍ଷଣ ପରେ ସ୍ପଷ୍ଟ ହୋଇଯିବ ଯେ, ଟିକା ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିବାରେ କେତେଦୂର ସହାୟକ ହେଉଛି । ତଥାପି ଟିକାର ପଞ୍ଜିକରଣ କରାଯିବା ନେଇ ସେ ଘୋଷଣା କରିଥିଲେ । ଯେକୌଣସି ଟିକାର ମାନବ ପରୀକ୍ଷଣ ସାଧାରଣତଃ ତିନିଟି ପର୍ଯ୍ୟାୟରେ ହୋଇଥାଏ ।

ଟିକା ପରୀକ୍ଷଣର ୩ଟି ପର୍ଯ୍ୟାୟ

– ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୦୦ ଲୋକଙ୍କୁ ଟିକା ଦିଆଯାଏ
– ଦ୍ୱିତୀୟ ପର୍ଯ୍ୟାରେ ଶତାଧିକ ଲୋକଙ୍କ ଦେହରେ ଟିକାର ପରୀକ୍ଷଣ ହୁଏ
– ତୃତୀୟ ପର୍ଯ୍ୟାୟରେ ହଜାର ହଜାର ଲୋକଙ୍କୁ ଦିଆଯାଏ ଟିକା

ଅର୍ଥାତ ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳକୁ ଦେଖି ଟିକାର ପଞ୍ଜିକରଣ କରାଯାଏ । କିନ୍ତୁ ରୁଷିଆରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲୁ ରହିଥିବାବେଳେ ଏହାର ପଞ୍ଜିକରଣ କରାଯାଇଛି । ତେଣୁ ଏହାକୁ ନେଇ ପ୍ରଶ୍ନ ବି ଉଠୁଛି । ହେଲେ ରୁଷିଆ ଦାବି ଯେ, ନୈଦାନିକ ପରୀକ୍ଷଣ ସମୟରେ ଯେଉଁମାନଙ୍କୁ ଟିକା ଦିଆଯାଇଥିଲା, ସେମାନଙ୍କ ଠାରେ କରୋନା ବିରୋଧରେ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଥିବା ଦେଖାଯାଇଥିଲା । ତେଣୁ ଲାଗୁଛି ରୁଷ ତିଆରି ଟିକା ଫଳପ୍ରଦ ହେବ । ହେଲେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଲା ଏହି ଟିକା କେମିତି କାମ କରିବ?

କେମିତି କାମ କରିବ ରୁଷ ଟିକା?

– ବିଶ୍ୱରେ ଯେତେସବୁ ଟିକା ପ୍ରସ୍ତୁତ ହେଉଛି ସେଗୁଡିକର କାମ କରିବାର ପ୍ରକ୍ରିୟା ଭିନ୍ନ
– କାରଣ ସବୁ ଦେଶରେ କରୋନାର ଲକ୍ଷଣ ମଧ୍ୟ ଅଲଗା ଅଲଗା ଦେଖିବାକୁ ମିଳୁଛି
– ତେଣୁ ଟିକା ବିକାଶ କରୁଥିବା ଦେଶ ନିଜ ଦେଶରେ ଲକ୍ଷଣକୁ ଦେଖି ପ୍ରସ୍ତୁତ କରୁଛନ୍ତି
– ଭୌଗଳିକ ଭିନ୍ନତା ଦୃଷ୍ଟିରୁ କରୋନା ସଂକ୍ରମିତଙ୍କଠାରେ ଭିନ୍ନଭିନ୍ନ ଲକ୍ଷଣ ଦେଖାଯାଉଛି
– ରୁଷିଆର ଦାବି ଯେ, ଏହି ଟିକା ନେବାପରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଉଛି
– ଅର୍ଥାତ ଟିକା ନେଇଥିବା ବ୍ୟକ୍ତି କରୋନା ସଂକ୍ରମିତ ହେଲେ କୌଣସି କ୍ଷତି ହେବନାହିଁ

ଶେଷରେ ସବୁଠାରୁ ବଡ ପ୍ରଶ୍ନ ହେଲା ଏହି ଚିକାର କିଛି ପାଶ୍ୱର୍ ପ୍ରତିକ୍ରିୟା ରହିଛି କି? ଟିକା ନେବା ପରେ ବ୍ୟକ୍ତିର ଶରୀର କରୋନା ଭୂତାଣୁ ବିରୋଧରେ କିଭଳି ପ୍ରତିକ୍ରିୟା ଦେଖାଇବ? ଏହି ପ୍ରସଙ୍ଗରେ ଗେମାଲ୍ୟା ଇନଷ୍ଟିଚ୍ୟୁଟର ମୁଖ୍ୟ ଆଲେକଜାଣ୍ଡର ଗେମ୍ସବର୍ଗଙ୍କ କହିବା ହେଲା-

ରୁଷ ଟିକାର କ’ଣ ରହିବ ପାଶ୍ୱର୍ ପ୍ରତିକ୍ରିୟା?

– ସାମାନ୍ୟ ଜ୍ୱର, ଥକାପଣ ଓ ଶରୀରରେ ଶିଥିଳତା ଆସିବ
– ଟିକା ନେବା ପରେ ରୋଗ ପ୍ରତିରୋଧ ଶକ୍ତି ବଢିଯିବ
– ପାରାସିଟାମୋଲ ନେଇ ସାମାନ୍ୟ ଜ୍ୱରରୁ ଆଶ୍ୱସ୍ତି ମିଳିପାରିବ

ତେବେ ରୁଷିଆ ପ୍ରସ୍ତୁତ ଟିକାକୁ ପଞ୍ଜିକରଣ କରିବା ପୂର୍ବରୁ ଟିକା ପ୍ରସ୍ତୁତ କରିଥିବା ଟିମର ସମସ୍ତ ସଦସ୍ୟ ଏହି ଟିକା ନେଇଛନ୍ତି । ଏପରିକି ଦୁଇ ଝିଅଙ୍କ ଭିତରୁ ଜଣଙ୍କୁ କରୋନା ଟିକା ଦିଆଯାଇଥିବା ସୂଚନା ଦେଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ରୁଷିଆ ସରକାରଙ୍କ ନିଷ୍ପତି ଅନୁସାରେ ଫ୍ରଂଟଲାଇନ ହେଲଥ ୱାର୍କର୍ସ ଅର୍ଥାତ କରୋନା ଲଢେଇରେ ସାମିଲ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମେ ଏହି ଟିକା ଦିଆଯିବ । ଫଳରେ ସେମାନେ ସାମୁହିକ ଟିକାକରଣ ପ୍ରକ୍ରିୟାକୁ ଆଗେଇ ନେବାରେ ସହାୟତା କରିବେ । ହେଲେ ରୁଷିଆର ଏହି ଦାବି ଉପରେ ଅନେକ ଦେଶ ସନ୍ଦେହ ପ୍ରକାଶ କରୁଛନ୍ତି । କାରଣ ଟିକା ପରୀକ୍ଷଣ ସଂପର୍କିତ କୌଣସି ବୈଜ୍ଞାନିକ ତଥ୍ୟ ସାର୍ବଜନିନ କରିନାହିଁ ରୁଷିଆ ।