ରାଜ୍ୟରେ କାୟା ମେଲାଉଛି ‘କରୋନା’: ଦିନକରେ ୫ ମୃତ, ୪୯୫ ନୂଆ ଆକ୍ରାନ୍ତ ଚିହ୍ନଟ; ମୃତକଙ୍କ ମଧ୍ୟରେ ଅଛନ୍ତି ଗଂଜାମରୁ ୩ ଜଣ ଓ ଖୋର୍ଦ୍ଧାରୁ ୨

3,593

କନକ ବ୍ୟୁରୋ: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତକାଲି ରେକର୍ଡ ସଂଖ୍ୟକ ୫୬୧ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୪୯୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୫ ଜଣଙ୍କ ମୃତ୍ୟୁ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଗଂଜାମରୁ ୩ ଜଣ ଓ ଖୋର୍ଦ୍ଧାରୁ ୨ ଜଣ ଅଛନ୍ତି । ତେବେ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାର ୨୦ ଜଣ ଅଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଥିବା ବେଳେ କଟକରୁ ୪, ଅନୁଗୋଳ, ବରଗଡ଼ ଓ ପୁରୀରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ସେହିପରି ୪୯୫ ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୩୫୫ ଆକ୍ରାନ୍ତ ଥିବା ବେଳେ ଲୋକାଲ କଂଟାକ୍ଟ ୧୪୦ ଜଣ ଅଛନ୍ତି । ଗଂଜାମରୁ ସର୍ବାଧିକ ୨୧୬ ପଜିଟିଭ ରହିଥିବା ବେଳେ,ଖୋର୍ଦ୍ଧାରୁ ୫୦, ମୟୁରଭଂଜରୁ ୨୮, ନବରଙ୍ଗପୁରରୁ ୧୧, ପୁରୀରୁ ୧୮ ଜଣ, ଜଗତସିଂହପୁରରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗୁଡରୁ ୩୬,ସମ୍ବଲପୁରରୁ ୬, ଗଜପତିରୁ ୭ ଓ ଝାରସୁଗୁଡା , କନ୍ଧମାଳରୁ ୮ ଲେଖାଁଏ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୬୦୧ରେ ପହଚିଂଛି । ରାଜ୍ୟରେ ଏଯାଏ କରୋନାରେ ୩୪ ଜଣଙ୍କ ମୃତ୍ୟୁ ହୋଇଛି ।