କନକ ବ୍ୟୁରୋ : ଦେଶରେ କରୋନାର ତୃତୀୟ ଲହର ଚର୍ଚ୍ଚା ଭିତରେ ଡେଲଟା ପ୍ଲସ ଭାରିଆଂଟ ଚିନ୍ତା ବଢାଇ ଦେଇଛି । ମହାରାଷ୍ଟ୍ର, କେରଳ ଓ ମଧ୍ୟପ୍ରଦେଶରୁ ୪୦ ଜଣ ଡେଲଟା ପ୍ଲସ ଭାରିଆଂଟରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଡେଲଟା ପ୍ଲସ ଆକ୍ରାନ୍ତଙ୍କ ଠାରେ ନୂଆ ଲକ୍ଷଣ ଦେଖା ଦେଉଛି । ଲଣ୍ଡନ ସ୍ଥିତ କିଙ୍ଗସ କଲେଜର ଅଧ୍ୟୟନରୁ ଜଣାପଡିଛି, ଆକ୍ରାନ୍ତଙ୍କ ଠାରେ ପେଟ ଯନ୍ତ୍ରଣା ସହ ଗଣ୍ଠି ଘୋଳା ବିନ୍ଧା କରୁଛି ।
ଦେଶରେ ଦ୍ୱିତୀୟ ଲହର କମୁଥିବାବେଳେ ବିପଦ ବଢାଉଛି କରୋନା ଭୂତାଣୁର ଡେଲଟା ପ୍ଲସ ଷ୍ଟ୍ରେନ । ଏହାକୁ ନେଇ ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ କେରଳ ସରକାରଙ୍କୁ ସତର୍କ କରାଇଛନ୍ତି କେନ୍ଦ୍ର ସରକାର । ବର୍ତମାନ ସୁଦ୍ଧା ୪୦ ଜଣକ ଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି । ତେବେ ଏହି ଡେଲଟା ପ୍ଲସ ଭୂତାଣୁରେ ଆକ୍ରାନ୍ତଙ୍କଠାରେ କିଛି ନୂଆ ପ୍ରକାର ଲକ୍ଷଣ ଦେଖାଦେଉଛି । ଲଣ୍ଡନ ସ୍ଥିତ କିଙ୍ଗସ କଲେଜର ଅଧ୍ୟୟନରୁ ଜଣାପଡିଛି ଯେ,
- ଡେଲ୍ଟା ପ୍ଲସରେ ଆକ୍ରାନ୍ତଙ୍କ ଗ୍ୟାଷ୍ଟ୍ରୋ ଇଂଟେଷ୍ଟିନାଲ ସମସ୍ୟା ଦେଖିବାକୁ ମିଳୁଛି
- ଆକ୍ରାନ୍ତଙ୍କ ପେଟରେ ଯନ୍ତ୍ରଣା ଅନୁଭବ ହେଉଛି
- ବାନ୍ତି ହେବା ସହ ଭୋକ କମିଯାଉଛି
- ଶ୍ରବଣ ଶକ୍ତି କମିବା ସାଙ୍ଗକୁ ଗଣ୍ଠିରେ ଘୋଳାବିନ୍ଧା ହେଉଛି
- ଏହା ଫୁସଫୁସ କୋଷର ରେସ୍ପିରେଟରକୁ ପ୍ରଭାବିତ କରିପାରେ
- ମନୋକ୍ଲୋନାଲ ଆଂଟିବଡି ଚିକିତ୍ସାକୁ ମଧ୍ୟ ନିଷ୍କ୍ରିୟ କରିଦେଇପାରେ
- ଅଳ୍ପ ମାତ୍ରାରେ ଭୂତାଣୁ ଦ୍ୱାରା ଜଣେ ଅନ୍ୟ ଜଣକୁ ସଂକ୍ରମିତ କରିପାରିବ
- ଫଳରେ ଅଳ୍ପ ସମୟରେ ଅଧିକରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିବ
ଦ୍ରୁତ ସଂକ୍ରମିତ କରୁଥିବା ଡେଲଟା ପ୍ରଜାତିର ଭୂତାଣୁ ରୂପ ବଦଳାଇ ଡେଲଟା ପ୍ଲସ ସୃଷ୍ଟି ହୋଇଛି । ଏହି ନୂଆ ଭୂତାଣୁ ସଂକ୍ରମଣର ବେଗ, ଗୁଣ ଓ ଲକ୍ଷଣ ଉପରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ନଜର ରଖିଛନ୍ତି । ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞମାନେ କହୁଥିବାବେଳେ ଡେଲଟା ପ୍ଲସ ଭାରିଆଂଟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତାର ବିଷୟ ହୋଇଛି ।