କାଳିଆ ଦର୍ଶନ ପାଇଁ ହଟିଲା କଟକଣା । ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ୨୧ତାରିଖରୁ ଦରକାର ନାହିଁ କରୋନା ରିପୋର୍ଟ, ସକାଳ ୭ ଟାରୁ ଆରମ୍ଭ ହେବ ସାଧାରଣ ଦର୍ଶନ ।

139

କନକ ବ୍ୟୁରୋ : ଭକ୍ତ ଓ ଭଗବାନଙ୍କ ଭିତରେ ବାଧକ ହେବନି କୋଭିଡ୍ ରିପୋର୍ଟ । କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବନାକୁ ନଜରରେ ରଖି ଆଜି ବଡ ନିଷ୍ପତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଆସନ୍ତା ୨୧ ତାରିଖରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଉ ଆବଶ୍ୟକ ହେବ ନାହିଁ କରୋନା ନେଗେଟିଭ୍ ରିପୋର୍ଟ । ତେବେ ମନ୍ଦିରକୁ ଯିବା ସମୟରେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଭଳି କରୋନା କଟକଣା ମାନିବାକୁ ପଡିବ । ଆସନ୍ତା ୨୧ ତାରିଖରୁ ଦୈନିକ ପ୍ରାୟ ୩୦ ହଜାର ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ନୂଆ ଏସଓପି ଜାରି ହୋଇଛି ।

କୋହଳ ହେଲା କାଳିଆ ଦର୍ଶନ କଟକଣା । ୨୧ରୁ ଆବଶ୍ୟକ ହେବନି କୋଭିଡ୍ ରିପୋର୍ଟ । କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ପାଇଁ ଆସିଲା ଖୁସି ଖବର । ଗୋଟିଏ ସପ୍ତାହର ଅନୁଧ୍ୟାନ ପରେ ଭକ୍ତଙ୍କ ଭାବନାକୁ ନଜରରେ ରଖି କାଳିଆ ଦର୍ଶନ ପାଇଁ ଥିବା କଟକଣାକୁ କୋହଳ କରିଛି ପ୍ରଶାସନ । ଆସନ୍ତା ଜାନୁଆରୀ ୨୧ ତାରିଖରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆବଶ୍ୟକ ହେବନାହିଁ କରୋନା ନେଗେଟିଭ୍ ରିପୋର୍ଟ । ଅର୍ଥାତ ଯେ କୌଣସି ଭକ୍ତ ବିନା ବାଧାରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବ ।

ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ଥିବା ଦର୍ଶନ ସମୟରେ ମଧ୍ୟ ପରିବର୍ତ୍ତନ ଆଣିବାକୁ ନିଷ୍ପତି ନିଆଯାଇଛି । ସାଧାରଣ ଭକ୍ତଙ୍କ ପାଇଁ ସକାଳ ୭ଟାରୁ ଆରମ୍ଭ ହେବ ଦର୍ଶନ । ପୁରୀ ସହରବାସୀ ସକାଳ ୬ଟାରୁ ୭ଟା ପର୍ଯ୍ୟନ୍ତ ଦର୍ଶନ କରିପାରିବେ । ତାପରେ ଦର୍ଶନ କରିବାକୁ ଆସିଲେ ସାଧାରଣ ଭକ୍ତଙ୍କ ଭଳି ଧାଡିରେ ଯାଇ ଦର୍ଶନ କରିପାରିବେ । ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ଧାଡିର ବ୍ୟବସ୍ଥା ରହିବ । ଏଥିସହ ଦୈନିକ ୩୦ ହଜାର ଭକ୍ତଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ।

ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଜାନୁଆରୀ ୩ରୁ ସିଂହଦ୍ୱାର ଖୋଲିଥିଲେ ବି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପ୍ରାଚୀର ହୋଇ ଛିଡା ହୋଇଥିଲା କୋଭିଡ୍ ନେଗେଟିଭ୍ ରିପୋର୍ଟ । ଯେଉଁମାନେ କୋଭିଡ୍ ରିପୋର୍ଟ ଦେଖାଇ ପାରୁନଥିଲେ, ସେମାନେ ମନ୍ଦିର ଭିତରକୁ ପ୍ରବେଶ କରିପାରୁନଥିଲେ । ଫଳରେ ମନ୍ଦିରକୁ ଯେତିକି ଯାଉଥିଲେ ତାଠୁ ଅଧିକ ଭକ୍ତ ବାହାରୁ ପତିତପାବନଙ୍କୁ ଦର୍ଶନ କରି ନିରାଶ ହୋଇ ଫେରିବାକୁ ବାଧ୍ୟ ହେଉଥିଲେ ।