ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ସର୍ବସାଧାରଣ ଦର୍ଶନ: ମନ୍ଦିରରେ ପ୍ରବେଶ ପାଇଁ ଦେଖାଇବାକୁ ପଡିବ କରୋନା ନେଗେଟିଭ୍ ରିପୋର୍ଟ

୯୬ ଘଣ୍ଟାର କୋଭିଡ୍‌ ରିପୋର୍ଟ ବାଧ୍ୟତାମୂଳକ, ମାର୍କେଟ୍‌ ଛକରୁ ବାରିକେଡ୍‌, ଯାଞ୍ଚ କଡ଼ାକଡ଼ି

191

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ । ପୁରୀ ଜିଲ୍ଲା ସହ ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ଆଜିଠୁ କରିପାରିବେ । ହେଲେ, ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ କରୋନା ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଦର୍ଶନ ପାଇ ଭକ୍ତଙ୍କୁ ୯୬ ଘଂଟା ପୂର୍ବର କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡିବ । ପୁରୀବାସୀଙ୍କ ପାଇଁ ମଧ୍ୟ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ନିଜ ଅଂଚଳରୁ ରିପୋର୍ଟ ଆଣି ଆସିବାକୁ କୁହାଯାଇଛି । କିଓସ୍କ କେନ୍ଦ୍ରର ଶ୍ରଦ୍ଧାଳୁ ଆଣିଥିବା କୋଭିଡ ନେଗେଟିଭ ରିପୋର୍ଟର ଯାଂଚ ହେବ । ଏଥିସହ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ।

ଦୀର୍ଘ ୯ ମାସରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସୁଯୋଗ ଆସିଥିବାରୁ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଉକ୍ରଣ୍ଠା ବଢ଼ିଯାଇଛି । ପୂର୍ବରୁ ସେବାୟତ ଓ ପୁରୀବାସୀ ପର୍ଯ୍ୟାୟ କ୍ରମେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଧାଡି ଦର୍ଶନ ପାଇଁ ମାର୍କେଟ ଛକରୁ ବାରିକେଡ ବ୍ୟବସ୍ଥା କରାଯାଇଛି । କରୋନା ମହାମାରୀ ଗତ ବର୍ଷ ମାର୍ଚ୍ଚ ୨୦ରୁ ଶ୍ରୀମନ୍ଦିର ବନ୍ଦ ରହିଥିଲା । ଭକ୍ତଙ୍କୁ ଦର୍ଶନରୁ ବଂଚିତ ରଖାଯାଇଥିଲେ ମଧ୍ୟ ପୂର୍ବ ଭଳି ସ୍ୱଭାବିକ ଚାଲିିଥିଲା ମନ୍ଦିରର ନୀତିକାନ୍ତି ।

ସ୍ଥିତି ସ୍ୱାଭାବିକ ହୋଇନଥିଲେ ମଧ୍ୟ ଡିସେମ୍ବର ୨୩ରୁ ପୁନର୍ବାର ଦର୍ଶନ ଆରମ୍ଭ ହୋଇଛି । ଡିସେମ୍ବର ୨୩ରୁ ୨୫ ତାରିଖ ଯାଏଁ ସେବାୟତ ଓ ସେବାୟତଙ୍କ ପରିବାର ଦର୍ଶନ ସୁଯୋଗ ପାଇଥିଲେ । ଡିସେମ୍ବର ୨୬ରୁ ୩୧ ତାରିଖ ପୁରୀ ସହରବାସୀ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ଏହାପରେ ଗହଳି ଏଡାଇବା ପାଇଁ ଜାନୁୟାରୀ ୧ ଓ ୨ ତାରିଖ ଦର୍ଶନ ବନ୍ଦ ରହିବା ପରେ ଆଜିଠାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ।