କେବେ ଆସିବ କରୋନାର ତୃତୀୟ ଲହର : ଜାଣନ୍ତୁ କ’ଣ କହିଲେ ଭୂତାଣୁତତ୍ତ୍ୱବିତ୍ ଡ. ଗଗନଦୀପ କାଙ୍ଗ ?

347

କନକ ବ୍ୟୁରୋ : ମହାମାରୀ କରୋନା ଏବେ ଏଣ୍ଡାମିକ ସ୍ଥିତିରେ ରହିଛି । ଅର୍ଥାତ ଆଗାମୀ ୨ ମାସ ଭିତରେ ବଡଧରଣ ତୃତୀୟ ଲହର ଆସିବା ସମ୍ଭାବନା କମ୍ । ଏପରିକି ଦ୍ୱିତୀୟ ଲହର ଭଳି ତୃତୀୟ ଲହର ଅଧିକ ମାରାତ୍ମକ ହେବନାହିଁ । କିନ୍ତୁ ସୀମିତ ଅଂଚଳରେ ଛୋଟ ଲହର ଦେଖା ଦେଇପାରେ । କରୋନାକୁ ନେଇ ଏଭଳି ଆକଳନ କରିଛନ୍ତି ଭୂତାଣୁ ବୈଜ୍ଞାନିକ ଡାକ୍ତର ଗଗନଦୀପ କାଙ୍ଗ । ଭେଲୋରସ୍ଥିତ ଖ୍ରୀଷ୍ଟିଆନ ମେଡିକାଲ କଲେଜର ପ୍ରଫେସର ଡାକ୍ତର କାଙ୍ଗ ଏଥିପାଇଁ କେତେକ ଯୁକ୍ତି ମଧ୍ୟ ରଖିଛନ୍ତି ।

ଗୋଟିଏ ଲହର କହିଲେ ଏକ ଭୌଗୋଳିକ ଅଞ୍ଚଳରେ ସଂକ୍ରମଣ ହାର ହଠାତ୍ ବଢ଼ିବାଠାରୁ ଆରମ୍ଭ କରି ପୁଣି କମିବା ପର୍ଯ୍ୟନ୍ତ ଅବଧିକୁ ବୁଝାଏ । ଦ୍ବିତୀୟ ଲହରରେ ଯେଉଁଭଳି ଭାବରେ ସଂକ୍ରମଣ ବଢ଼ିଥିଲା, ତୃତୀୟ ଲହରରେ ସେପରି ହେବାର ସମ୍ଭାବନା ନାହିଁ । କାରଣ ବହୁଲୋକ ଟିକା ନେଇ ସାରିଥିବାରୁ କିମ୍ବା ଥରେ ସଂକ୍ରମିତ ହୋଇ ସାରିଥିବାରୁ ସଂକ୍ରମଣପ୍ରବଣ ଲୋକଙ୍କ ସଂଖ୍ୟା କମ୍ ରହିବା ସହ ନୂତନ ଭାରିଆଣ୍ଟ ବି ଆଉ ଦେଖିବାକୁ ମିଳିନାହିଁ ।

କାଙ୍ଗ କହିଲେ ଯେ, ବର୍ତ୍ତମାନର ଭାରିଆଣ୍ଟ ଦ୍ବାରା ତୃତୀୟ ଲହର ଆସିବ ନାହିଁ ବୋଲି ସେ କହୁନାହାନ୍ତି । କିନ୍ତୁ ଯଦି ଆସେ ତାହା ସୀମିତ ଭୌଗୋଳିକ ଅଞ୍ଚଳରେ ଅଳ୍ପ ଲୋକଙ୍କୁ ସଂକ୍ରମିତ କରିବ ଓ ଅଳ୍ପକାଳ ସ୍ଥାୟୀ ହେବ । ପୂର୍ବରୁ ଅଧିକାଂଶ ଲୋକ ସଂକ୍ରମଣପ୍ରବଣ ହୋଇଥିବାରୁ ପ୍ରଥମ ଓ ଦ୍ବିତୀୟ ଲହରରେ ବହୁସଂଖ୍ୟାରେ ଲୋକ ସଂକ୍ରମିତ ହେଲେ । ବର୍ତ୍ତମାନ ସଂକ୍ରମଣପ୍ରବଣ ଲୋକଙ୍କ ସଂଖ୍ୟା କମିଯାଇଛି । ତେଣୁ ଭୂତାଣୁ ସଂକ୍ରମଣ ଅଧିକ ହେଲେ ବି ସଂକ୍ରମିତ ହୋଇ ରୋଗଗ୍ରସ୍ତ ହେବା ଲୋକଙ୍କ ସଂଖ୍ୟା କମିଯାଇଛି । ଯେଉଁମାନେ ଥରେ ସଂକ୍ରମିତ ହୋଇ ଭଲ ହୋଇଛନ୍ତି ଏବଂ ଯେଉଁମାନେ ଟିକା ନେଇଛନ୍ତି ସେମାନଙ୍କ ସଂକ୍ରମଣପ୍ରବଣତା କମିଯାଇଛି ବୋଲି କାଙ୍ଗ କହିଛନ୍ତି ।

ଆଉ ଜଣେ ଭୂତାଣୁତତ୍ତ୍ବବିତ୍ ଜାକବ ଜନ୍‌ କହିଛନ୍ତି ଯେ ଆମେ ପ୍ରାୟ ତିନିମାସ ହେଲା ଏନ୍‌ଡେମିକ୍  ସ୍ତରରେ ପହଞ୍ଚିଛୁ, ଯେଉଁଥିରେ ସଂକ୍ରମଣ ଖୁବ୍ ବେଶି ବଢ଼ିବା ଦେଖାଯାଉନାହିଁ । ଉଲ୍ଲେଖନୀୟ ଯେ ସ୍ଥାନୀୟ ସଂକ୍ରମଣକୁ ଏନ୍‌ଡେମିକ୍, ଗୋଟିଏ ଦେଶ ଭିତରେ ସଂକ୍ରମଣକୁ ଏପିଡେମିକ୍ ଓ ଦେଶ-ବିଦେଶରେ ସଂକ୍ରମଣକୁ ପାନ୍‌ଡେମିକ୍ କୁହାଯାଏ ।