ପରିବେଶ ପାଇଁ ମଙ୍ଗଳକାରୀ ସାବ୍ୟସ୍ତ ହୋଇଛି ଲକଡାଉନ : ବିଶ୍ୱର ଓଜୋନ୍ ସ୍ତରରେ ୧୫ ପ୍ରତିଶତ ହ୍ରାସ

297

କନକ ବ୍ୟୁରୋ : ଲକଡାଉନ କମାଇଛି ନାଇଟ୍ରୋଜେନ ଅକ୍ସାଇଡ୍ ନିର୍ଗମନ । ବିଶ୍ୱର ଓଜୋନ୍ ସ୍ତରରେ ୧୫ ପ୍ରତିଶତ ହ୍ରାସ । ମହାମାରୀ କରୋନାର ଭୟାବହତାର ମୁକାବିଲା ପାଇଁ ୨୦୨୦ ମାର୍ଚ୍ଚ ମାସରୁ ବିଶ୍ୱବ୍ୟାପି ଲକଡାଉନ ଓ ସଟଡାଉନ ପରି କଡା କଟକଣା ଲାଗୁ ହୋଇଥିଲା । ଏହି କଟକଣା ଯୋଗୁଁ ବିଶ୍ୱ ଅର୍ଥନୀତି ପ୍ରଭାବିତ ହୋଇଥିଲା । କୋଟି କୋଟି ଲୋକ ଚାକିରୀ ହରାଇ ବେକାର ହୋଇଯାଇଥିଲେ ।

ତେବେ ସେଭଳି କଟକଣା ପରୋକ୍ଷରେ ପରିବେଶ ପାଇଁ ମଙ୍ଗଳକାରୀ ସାବ୍ୟସ୍ତ ହୋଇଥିବା ଦକ୍ଷିଣ କାଲିଫର୍ଣ୍ଣିଆ ସ୍ଥିତ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ର ଜେଟ୍‌ ପ୍ରପଲ୍‌ସନ୍‌ ପରୀକ୍ଷାଗାରର ବୈଜ୍ଞାନିକମାନେ କହିଛନ୍ତି। ବିଭିନ୍ନ ସ୍ଥାନରେ କଳକାରଖାନା ଓ ଗାଡ଼ିମୋଟର ଚଳାଚଳ ବନ୍ଦ ହେବା କାରଣରୁ ବାୟୁମଣ୍ଡଳକୁ ବିଷାକ୍ତ ନାଇଟ୍ରୋଜେନ୍‌ ଅକ୍ସାଇଡ୍‌ ବା ଯବକ୍ଷାରାମ୍ଳ ବାଷ୍ପର ନିର୍ଗମନ ଯଥେଷ୍ଟ କମିଯାଇଛି। ଫଳରେ ଏହାଦ୍ବାରା ସୃଷ୍ଟି ହେଉଥିବା ସ୍ବାସ୍ଥ୍ୟହାନିକାରକ ଓଜୋନ୍‌ ବାଷ୍ପ ପରିମାଣ ୧୫ ପ୍ରତିଶତ କମିଯାଇଛି ବୋଲି ସେମାନେ ଆକଳନ କରିଛନ୍ତି। ୨୦୨୦ ଜୁନ୍‌ ସୁଦ୍ଧା ଏତିକି ପରିମାଣର ଓଜୋନ୍‌ ସ୍ତର ହ୍ରାସ ପାଇଁ ବିଶ୍ବ ସମୁଦାୟର ଦୀର୍ଘ ପନ୍ଦର ବର୍ଷର ସ୍ବାଭାବିକ ସାମୂହିକ ପ୍ରଚେଷ୍ଟା ଆବଶ୍ୟକ ପଡୁଥିବା ବେଳେ କୋଭିଡ୍‌ କଟକଣା ଯୋଗୁଁ ତାହା ଆପଣା ଛାଏଁ ହାସଲ ହୋଇପାରିଥିବାରୁ ସେମାନେ ଆଶ୍ବସ୍ତି ପ୍ରକାଶ କରିଛନ୍ତି।

‘ସାଇନ୍ସ ଆଡ୍‌ଭାନ୍ସେସ’ ନାମକ ବିଜ୍ଞାନ ପତ୍ରିକାରେ ପ୍ରକାଶିତ ସୂଚାନୁୟାୟୀ, ୨୦୨୦ ଫେବ୍ରୁଆରିରେ ଚୀନ୍‌ ସରକାର ନିଜ ନାଗରିକମାନଙ୍କୁ ଘରେ ରହିବା ପାଇଁ କଡ଼ା ନିର୍ଦ୍ଦେଶ କରିବା ପରେ ସେଠାରେ କିଛି ସପ୍ତାହ ଭିତରେ ସଂଖ୍ୟାଧିକ ସହରରେ ପ୍ରାୟ ୫୦ ପ୍ରତିଶତ ଯବକ୍ଷାରାମ୍ଳ ନିର୍ଗମନ କମି ଆସିଥିଲା । ସେହିପରି ଆମେରିକାରେ ମଧ୍ୟ ଗତ ବସନ୍ତ ଋତୁ ବେଳକୁ ଯବକ୍ଷାରାମ୍ଳ ନିର୍ଗମନରେ ହାରାହାରି ୨୫ ପ୍ରତିଶତ ହ୍ରାସ ଘଟିଥିଲା । ତେବେ ବିଶ୍ବର ଭୁଶୁଡ଼ି ପଡ଼ିଥିବା ଅର୍ଥନୀତିରେ ସୁଧାର ଆଣିବା ଲାଗି ସମ୍ପ୍ରତି ବିଭିନ୍ନ ରାଷ୍ଟ୍ରରେ ଅନ୍‌ଲକ୍‌ ପ୍ରକ୍ରିୟା ଜାରି ରହିବା ସହ କଳକାରଖାନା ସବୁ ସ୍ବାଭାବିକ ଭାବେ ଚାଲିବା ଆରମ୍ଭ କରିଥିବାରୁ ଆଗକୁ ଏହି କ୍ଷତିକାରକ ଯବକ୍ଷାରାମ୍ଲର ନିର୍ଗମନ ପୁଣି ବଢ଼ିଯିବା ସହ ଭୂପୃଷ୍ଠରେ ଘାତକ ଓଜୋନ୍‌ ବାଷ୍ପ ପୁଣି ମାତ୍ରାଧିକ ସକ୍ରିୟ ହୋଇପଡ଼ିବ ବୋଲି ଏହି ବୈଜ୍ଞାନିକମାନେ ଆଶଙ୍କା ପ୍ରକଟ କରିଛନ୍ତି ।

ଆମ ବାୟୁମଣ୍ଡଳର ଯଥେଷ୍ଟ ଉପରେ ଷ୍ଟ୍ରାଟୋସ୍ପିଅରରେ ଥିବା ଓଜୋନ୍‌ ସ୍ତର ସୂର୍ଯ୍ୟ କିରଣରେ ଆସୁଥିବା କ୍ଷତିକାରକ ବିକିରଣରୁ ଆମକୁ ସୁରକ୍ଷା ଦେଇଥାଏ । ମାତ୍ର ଭୂପୃଷ୍ଠରେ ଏହି ଓଜୋନ୍‌ ବାଷ୍ପର ଉପସ୍ଥିତି ହିଁ ବୃକ୍ଷଲତାଙ୍କର ଶ୍ବାସକ୍ରିୟା ପ୍ରଣାଳୀରେ କ୍ଷତି ପହଞ୍ଚାଇ ଉତ୍ପାଦନ କମାଇଦେଇଥାଏ । ସେହିପରି ଏହା ମନୁଷ୍ୟ ସମେତ ଜୀବଜଗତର ଫୁସଫୁସରେ ଉଲ୍ଲେଖନୀୟ କ୍ଷତି ଘଟାଇଥାଏ। ଏହି କାରଣରୁ୨୦୧୯ ମସିହାରେ ସମଗ୍ର ବିଶ୍ବରେ ୩,୬୫,୦୦୦ ଲୋକଙ୍କର ମୃତ୍ୟୁ ଘଟିଥିବା ଏକ ଆକଳନରୁ ଜଣାଯାଇଛି ।