ବର୍ଷ ବର୍ଷ ଧରି ବଡ଼ଦାଣ୍ଡ ସାଜିଛି ବ୍ୟବସାୟର ଠିକଣା । ହେଲେ, କରୋନା ଯୋଗୁଁ ବିପନ୍ନରେ ଉଠାଦୋକାନୀଙ୍କ ଜୀବିକା, ଛୋଟମୋଟ ପସରା କରି ଚଳୁଥିବା ପରିବାରଙ୍କ ଅବସ୍ଥା ଶୋଚନୀୟ ।

199

କନକ ବ୍ୟୁରୋ : ପର୍ଯ୍ୟଟନ ସହର ପୁରୀ । ରାତି ପାହିଲେ ଏଠାକୁ ଆସନ୍ତି ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ । ସେମାନଙ୍କ ଉପରେ ନିର୍ଭର କରି ବଡଦାଣ୍ଡରେ ବ୍ୟବସାୟ କରନ୍ତି ହଜାର ହଜାର ଛୋଟ ବଡ ବ୍ୟବସାୟୀ । କିନ୍ତୁ ଲକଡାଉନ କଟକଣା ଯୋଗୁଁ ପର୍ଯ୍ୟଟକ କି ଶ୍ରଦ୍ଧାଳୁ କେହି ଆସୁ ନାହାନ୍ତି । ଫଳରେ ଜୀବୀକା ହରାଇ ଦୁର୍ଦ୍ଦିନରେ ଯିଉଁଛନ୍ତି ବ୍ୟବସାୟୀ, ଫଟୋଗ୍ରାଫର ଓ ବୁଲାବିକାଳି ।

ବର୍ଷ ବର୍ଷ ଧରି ଏହି ବଡ଼ଦାଣ୍ଡ ହିଁ ଠିକଣା । ଟୋକେଇରେ କିଛି ବଳିତା ଧରି ମାଉସୀ, ଧାଇଁ ଆସୁଛନ୍ତି ସିନା, ହେଲେ ଗ୍ରାହକ କାହିଁ? ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଦ୍ୱାର ବନ୍ଦ, କଟକଣା ଭିତରେ ପୁରୀ ସହର । ଆଉ ଲକଡାଉନ୍ -ସଟଡାଉନ୍ କଟକଣା ଯୋଗୁଁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବି କମିଛି । ଫଳରେ ବୁଲାବିକାଳିଙ୍କ ଅବସ୍ଥା ସଂଗୀନ୍ ।

ପୀଢ଼ି ପୀଢ଼ି ପରେ ଏହି ବଡ଼ଦାଣ୍ଡ ଏବଂ ସମୁଦ୍ରକୂଳରେ ମୁକ୍ତା, ମାଳି, ଶଙ୍ଖ, ବ୍ୟାଗ ଆଦି ବିକ୍ରି କରି ଆସୁଛନ୍ତି ଉଠାଦୋକାନୀ । କିନ୍ତୁ ଏବେ ବ୍ୟବସାୟ ମାନ୍ଦା । ପ୍ରଥମ ଲହରରେ ବହୁକଷ୍ଟରେ ବ୍ୟବସାୟୀ, ଜୀବନ ଓ ଜୀବିକା ବଂଚାଇ ନେଇଥିଲେ । ହେଲେ ଦ୍ୱିତୀୟ ଲହର ସ୍ଥିତିକୁ ଅସମ୍ଭାଳ କରିଦେଇଛି ।

ସମୁଦ୍ରକୂଳରେ ବୁଲି ବୁଲି ଫଟୋ ଉଠାଉଥିବା ଫଟୋଗ୍ରାଫରଙ୍କ ସ୍ଥିିତି ଆହୁରୀ ସଂଗୀନ୍ । ପର୍ଯ୍ୟଟକ ଆସୁ ନାହାଁନ୍ତି । ଫଳରେ ଫଟୋ ଉଠାଇ ପରିବାର ଚଳାଇବା ସମ୍ଭବ ହେଉନାହିଁ । ବଡ଼ କଥା ହେଉଛି, ଫଟୋଗ୍ରାଫରଙ୍କୁ ଅନ୍ୟ କୌଣସି କାମ ଆସୁଥିବାରୁ ବଂଚିବାର ବିକଳ୍ପ ବାଟ ଖୋଜିବା ସମ୍ଭବ ହେଉନାହିଁ ।

ଭୂତାଣୁ ସତରେ ଯେମିତି ମଣିଷକୁ ଅସହାୟ କରିଦେଇଛି । ଗୋଟିଏ ପଟେ କରୋନା କଟକଣା, ଆଉ ଗୋଟିଏ ପଟେ ଜୀବନ-ଜୀବିକା । ଆଉ ଏହାରି ଭିତରେ ଛନ୍ଦି ହୋଇଯାଇଛନ୍ତି ଉଠାଦୋକାନୀ ଓ ବୁଲାବିକାଳି ।