ବଢ଼ିବକି ତାଲାବନ୍ଦ ଅବଧି? ୩ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ବଢ଼ିଲା ଲକଡାଉନ ଅବଧି । ଓଡ଼ିଶାରେ କ’ଣ ହେବ ତାକୁ ନେଇ ଚର୍ଚ୍ଚା

529

କନକ ବ୍ୟୁରୋ : ଦେଶର ୮୦ ପ୍ରତିଶତ ଅଞ୍ଚଳ ଏବେ ତାଲା ବନ୍ଦ ଥିବା ବେଳେ ୩ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ର ଶାସିତ ଅଂଚଳ ଲକ ଡାଉନକୁ ବଢ଼ାଇବା ପାଇଁ ନିଷ୍ପତି ନେଇଛନ୍ତି । ଦିଲ୍ଲୀରେ କଟକଣା ସାମାନ୍ୟ କୋହଳ ହେବା ସହ ଜୁନ ୭ ତାରିଖ ସକାଳ ୫ଟା ଯାଏଁ ଲକ୍ଡାଉନକୁ ବଢ଼ାଇ ଦିଆଯାଇଛି । ସେହିପରି କେରଳ ମୁଖ୍ୟମନ୍ତ୍ରୀ ଜୁନ ୯ ତାରିଖ ଯାଏଁ ରାଜ୍ୟବ୍ୟାପି ତାଲାବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପଡୁଚେରୀ, ମେଘାଳୟ ଓ ହିମାଂଚଳ ପ୍ରଦେଶରେ ମଧ୍ୟ ତାଲାବନ୍ଦକୁ ବୃଦ୍ଧି କରାଯାଇଛି ।
ଠିକ୍ ଏତିକି ବେଳେ ଓଡ଼ିଶାରେ କ’ଣ ହେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ କରାଯାଇଛି । ଦେଶରେ କରୋନା ସଂକ୍ରମଣ ଯେଉଁ ହାରରେ କମୁଛି ସେହି ହାରରେ ଓଡ଼ିଶରେ ସଂକ୍ରମଣ କମୁନାହିଁ । ଓଡ଼ିଶାରେ ସଂକ୍ରମଣ ସାମାନ୍ୟ କମିଥିଲେ ବି ଏବେବି ସଂକ୍ରମଣ ହାର ପ୍ରାୟ ୧୪ ପ୍ରତିଶତ ରହୁଛି । ଏଭଳି ସ୍ଥିତିରେ ରାଜ୍ୟ ସରକାର କ’ଣ ନିଷ୍ପତି ନେବେ ତା ଉପରେ ସମସ୍ତଙ୍କ ନଜର ରହିଛି । ଆଗକୁ ଯେହେତୁ ସାବିତ୍ରୀ ବ୍ରତ, ଶୀତଳ ଷଷ୍ଠୀ ଏବଂ ରଜ ପର୍ବ ଥିବାରୁ ଜନ ଗହଳି ବଢ଼ିବାର ଆଶଙ୍କା ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ କିଭଳି ନିଷ୍ପତି ନେବ ତା ଦେଖିବାକୁ ବାକି ରହିଛି ।