ସାର୍ବଜନୀନ ଶୌଚାଳୟରୁ ବ୍ୟାପିପାରେ କରୋନା ! ଭୁତାଣୁ ଫାଶରେ ପକାଇଦେବ ଫ୍ଲସ୍ : ସାର୍ବଜନୀନ ଶୌଚାଳୟ ବ୍ୟବହାର କରୁଥିଲେ ସାବଧାନ … ଫ୍ଲସ୍ ରୁ ବ୍ୟାପିପାରେ କରୋନା! କେମିତି କରିବେ ନିଜର ସୁରକ୍ଷା ? ପଢନ୍ତୁ ଏହି ରିପୋର୍ଟ

188

କରୋନା ଭାଇରସର ସଂକ୍ରମଣ ଦିନକୁ ଦିନ ଅଧିକ ସକ୍ରିୟ ହେବାରେ ଲାଗିଛି । ଆକଳନ ଅନୁସାରେ , ବିଶ୍ୱରେ ୨ କୋଟି ୨୭ ଲକ୍ଷ ଲୋକଙ୍କୁ ଭୁତାଣୁ ଆକ୍ରାନ୍ତ କରିଥିବାବେଳେ ୭ ଲକ୍ଷ ୯୫ ହଜାର ଲୋକଙ୍କ ମୁଣ୍ଡ ନେଲାଣି କରୋନା । ସଂକ୍ରମିତ ବ୍ୟକ୍ତିଙ୍କ ଶ୍ୱାସକ୍ରିୟା , ସ୍ପର୍ଶ , ଛିଙ୍କ ତଥା କାଶରୁ କରୋନା ବ୍ୟାପୁଥିବା କଥା ତ ଆପଣମାନେ ଜାଣିଥିଲେ ହେଲେ ଏବେ ଏକ ତାଜା ରିସର୍ଚ୍ଚ ଅନୁସାରେ ସାର୍ବଜନୀନ ଶୌଚାଳୟରୁ ବି କରୋନା ବ୍ୟାପିବାର ସମ୍ଭାବନା ରହିଛି । ଏଭଳି ସ୍ଥିତିରେ ସାବଧାନତାକୁ ଦୃଷ୍ଟି ନଦେଲେ ଭୁତାଣୁ ବ୍ୟାପିବା ସାର ।
ଫିଜିକ୍ସ ଅଫ୍ ଫ୍ଲ୍ୟୁଇଡ଼ସ୍ ରେ ପ୍ରକାଶିତ ତାଜା ରିପୋର୍ଟ ମୁତାବକ , ସାର୍ବଜନିନ ଶୌଚାଳୟ ବ୍ୟବହାର କରିବା ଦ୍ୱାରା ଭୁତାଣୁ ବ୍ୟାପିବାର ଅନେକ ସମ୍ଭାବନା ରହିଛି । ଖାସ୍ କରି ଶୌଚାଳୟରେ ଫ୍ଲସ୍ କରୁଥିବା ସମୟରେ ମାସ୍କ୍ ପିନ୍ଧିବା ନିତାନ୍ତ ଆବଶ୍ୟକ । ଫ୍ଲସ୍ ବଟନ୍ ଦବାଇବାର ତୁରନ୍ତ ବାଦ୍ ଶୌଚାଳୟରୁ ବାହାରିବା ଜରୁରୀ । ଯଦି କୌଣସି ସଂକ୍ରମିତ ବ୍ୟକ୍ତି ପୂର୍ବରୁ ଶୌଚାଳୟ ବ୍ୟବହାର କରିଥିବେ ତେବେ ଫ୍ଲସ୍ କରିବା ପରେ ବି ଏଥିରେ ଭାଇରସ୍ ଥିବାର ଆଶଙ୍କା ରହିଥାଏ । ଗବେଷଣା ଅନୁସାରେ , ଫ୍ଲସ୍ କରିବା ସମୟରେ ଯେଉଁ ଦ୍ରୁତପାଣିର ଧାରରୁ କ୍ଲାଉଡ୍ ବାହାରେ ତାହା ୬ ସେକେଣ୍ଡ ପାଇଁ ୨ ଫୁଟ୍ ଉଚ୍ଚକୁ ଉଠିଥାଏ । ଏହି କ୍ଲାଉଡରେ ଭାଇରସର କଣିକା ରହିବା ବି କିଛି ଅସମ୍ଭବ କଥା ନୁହଁ । ଏଭଳି ସ୍ଥିତିରେ ଯଦି ଜଣେ ସୁସ୍ଥବ୍ୟକ୍ତି ଶୌଚାଳୟକୁ ଯାଏ ତେବେ ଫ୍ଲସରୁ ବାହାରୁଥିବା ଏହି କ୍ଲାଉଡ୍ ସଂକ୍ରମଣ କରିବାରେ ମୁଖ୍ୟ ଭୂମିକା ନିଭାଇବ । ମଳତ୍ୟାଗ ଏବଂ ମୂତ୍ର ମାଧ୍ୟମରୁ ବି ଭୁତାଣୁ ବ୍ୟାପିବାର ଅନେକ ସମ୍ଭାବନା ରହିଛି ।

ତେବେ ଏଭଳି ସାର୍ବଜନୀନ ଶୌଚାଳୟରୁ କିପରି ନିଜର ସୁରକ୍ଷା କରିବେ ?

ସାର୍ବଜନୀନ ଶୌଚାଳୟ ବ୍ୟବହାର କରୁଥିବା ସମୟରେ ମାସ୍କ୍ ପିନ୍ଧନ୍ତୁ । ଏହାଛଡ଼ା ଶୌଚାଳୟରୁ ବାହାରିବା ପରେ ହାତକୁ ସାବୁନରେ ଭଲଭାବରେ ଧୋଇ ସାନିଟାଇଜର୍ ର ବ୍ୟବହାର କରନ୍ତୁ । ଘରେ ପହଁଚିବା ପରେ ପିନ୍ଧାବସ୍ତ୍ରକୁ ଧୋଇବା ପାଇଁ ରଖିଦିଅନ୍ତୁ ଏବଂ ସାବୁନ୍ ଲଗାଇ ଭଲଭାବରେ ଗାଧୋଇ ପଡ଼ନ୍ତୁ । ପାରୁଛନ୍ତି ଯଦି ମୁଣ୍ଡ ମଧ୍ୟ ଧୁଅନ୍ତୁ । କାରଣ ମୁଣ୍ଡର ଚୁଟି ବି ବେଳେବେଳେ ଭୁତାଣୁର ବାହକ ଭଳି କାମ କରିଥାଏ । ଯଦି ଆପଣ ସାର୍ବଜନୀନ ଶୌଚାଳୟର ବ୍ୟବହାର କରୁଛନ୍ତି ତେବେ ସାବଧାନତାକୁ ଆଖିଆଗରେ ରଖନ୍ତୁ ଏବଂ ସଂକ୍ରମଣରୁ ନିଜକୁ ଦୂରେଇ ରଖନ୍ତୁ ।