ଆଜିଠାରୁ କଡାକଡି ଭାବେ ଲାଗୁ ହେବ ନୂଆ ଗାଇଡ ଲାଇନ : ପିପିଲି ଉପନିର୍ବାଚନ ଥିବାରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁମତି ଆଧାରରେ ରାଜନୈତିକ ସମାବେଶ କରିହେବ

91

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ ଆଜିଠାରୁ ନୂଆ ଗାଇଡ ଲାଇନ କଡାକଡି ଭାବେ ଲାଗୁ ହେବ । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ କଟକଣାକୁ କଠୋର କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଏପ୍ରିଲ ମାସ ପାଇଁ ଜାରି ଗାଇଡଲାଇନ ଅନୁସାରେ ସମସ୍ତ ବଡ ସମାବେଶ, ବା ଭିଡକୁ ପୂର୍ବ ଭଳି ନିଷିଦ୍ଧ କରାଯିବ । ସର୍ତମୂଳକ ଭାବେ ୨ଶହ ଲୋକଙ୍କୁ ନେଇ ସଭା, ସମାବେଶ କରାଯାଇପାରିବ । ସ୍ଥାନୀୟ ପ୍ରଶାସନର ଅନୁମତି ନେବା ପରେ ସାମାଜିକ, ଧାର୍ମିକ ଓ ରାଜନୈତିକ ସଭା କରିପାରିବେ । ଏହିସବୁ ସମାବେଶ, ସଭାରେ ସର୍ବାଧିକ ୨ଶହ ଜଣ ସାମିଲ ହୋଇପାରିବେ ।

ସେହିପରି ଆଗକୁ ପିପିଲି ଉପନିର୍ବାଚନ ଥିବାରୁ ଭାରତୀୟ ନିର୍ବାଚନ କମିସନ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁମତି ଆଧାରରେ ରାଜନୈତିକ ସମାବେଶ କରିହେବ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି । ନିର୍ବାଚନ ପ୍ରଚାର ପାଇଁ କୌଣସି ବନ୍ଦ ସ୍ଥାନରେ ସର୍ବାଧିକ ୨ଶହ ଲୋକ ଏକାଠି ହୋଇପାରିବେ । ଖୋଲା ସ୍ଥାନରେ କେତେ ଲୋକ ସାମିଲ ହୋଇପାରିବେ, ସେହି ନିଷ୍ପତି ଜିଲ୍ଲା ପ୍ରଶାସନ ନେଇପାରିବ । ରାଜନୈତିକ ସଭାରେ ସମସ୍ତେ ମାସ୍କ ପିନ୍ଧିବା ଓ ସମାଜିକ ଦୂରତା ରକ୍ଷା କରିବାକୁ ଗାଇଡଲାଇନରେ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରଚାରରେ କୋଭିଡ ନିୟମ ପାଳନ ପାଇଁ ପୁରୀ ଜିଲ୍ଲା ମାଜିଷ୍ଟ୍ରେଟ ବା ଜିଲ୍ଲା ନିର୍ବାଚନ ଅଧିକାରୀ କଡା ନଜର ରଖିବେ ଓ ଆବଶ୍ୟକ ହେଲେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ସୀମାନ୍ତ ଜିଲ୍ଲା ଗୁଡିକରେ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଶିକ୍ଷାନୁଷ୍ଠାନ ଗୁଡିକରେ ମହାମାରୀ ଭୁତାଣୁର ପ୍ରବେଶ ସରକାରଙ୍କ ଚିନ୍ତା ବଢାଇ ଦେଇଛି । ତେଣୁ କରୋନା କଟକଣା କଡାକଡି ଭାବେ ଲାଗୁ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।